ସଂଚାର ବ୍ୟୁରୋ: ଆସାମର ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁକୁ ମାସେ ପୂରିଛି। ଏହି ଅବସରରେ ଆଜି ତାଙ୍କ ପାଇଁ ଗୁଆହାଟୀରେ ଗୋଟିଏ ଶ୍ରଦ୍ଧାଞ୍ଜଳି ସଭା କରାଯାଇଛି। ଏଥିରେ ବିଶିଷ୍ଟ ବ୍ୟକ୍ତି ଓ ଫ୍ୟାନମାନେ ଜୁବିନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେମାନେ ଦାବି କରିଛନ୍ତି, କେଉଁ ପରିସ୍ଥିତିରେ ଜୁବିନଙ୍କ ମୃତ୍ୟୁ ହେଲା, କାରଣ କଣ, କିଏ ଦାୟୀ, ଏସବୁ ରହସ୍ୟ ପଦାକୁ ଆସୁ। ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ମାସେ ତଳେ ସିଙ୍ଗାପୁରକୁ ଏକ କନସର୍ଟରେ ଯୋଗ ଦେବାକୁ ଯାଇଥିବା ବେଳେ ସେପଟେମ୍ଵର ୧୯ରେ ଜୁବିନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ସମୁଦ୍ରରେ ପହଁରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏଯାଏ ରହସ୍ୟ ଭେଦ କରିପାରି ନାହିଁ, କାହିଁକି, କେଉଁ ପରିସ୍ଥିତିରେ ଜୁବିନଙ୍କ ମୃତ୍ୟୁ ହୋଇଛି। ଲୋକଙ୍କ କ୍ଷୋଭକୁ ଦେଖି ଆସାମ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଜୁବିନଙ୍କ ବ୍ୟାଣ୍ଡର କିଛି କଳାକାର, ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। କିନ୍ତୁ ତଥାପି କାରଣ ସ୍ପଷ୍ଟ ହୋଇନାହିଁ। ସିଙ୍ଗାପୁର ସରକାର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଦେଇଛନ୍ତି। କୁହାଯାଉଛି, ଏହି ରିପୋର୍ଟ ଅନୁସାରେ ଜୁବିନଙ୍କ ମୃତ୍ୟୁରେ ସେମିତି କିଛି ସନ୍ଦିଗ୍ଧ କଥା ସାମନାକୁ ଆସିନାହିଁ। ଫ୍ୟାନ ସନ୍ଦେହ କରୁଛନ୍ତି, ଷଡ଼ଯନ୍ତ୍ର କରି ଜୁବିନଙ୍କୁ ହତ୍ୟା କରାଯାଇଛି। କିନ୍ତୁ ପ୍ରକୃତ କାରଣ କଣ, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

