ଆଜି ଅଣସରର ଦ୍ଵାଦଶ ଦିନ। ଦଶମୀ ତିଥି। ଅଣସର ତାଟି ଭିତରେ ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ତାତି ଓହ୍ଲାଇଥିବା ବେଳେ ଆଜି ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ ମହାପ୍ରଭୁ । ଅନ୍ୟପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟ ଦଶମୂଳମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଜିମାଦେବେ।
ଆସନ୍ତା କାଲି ମହାପ୍ରଭୁ ଦଶମୂଳମୋଦକ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ।ତେବେ ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନ ଠାରୁ ଚାରି ଦିନ ଧରି ଓଷ ଲାଗି ପରେ ଆଜି ଦଶମୀ ତିଥିରେ ଚକାବିଜେ ହେବେ ଶ୍ରୀଜିଉ। ସ୍ନାନପୂର୍ଣ୍ଣିମା ଦିନ ପ୍ରତ୍ୟେକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡିଥିବା ଶ୍ରୀବିଗ୍ରହ ଏବେ ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହୋଇ ଶୋଇବା ଅବସ୍ଥାରୁ ଉଠି ବସିବେ।
ଆଜି ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ମାନେ ଚକା ବିଜେ କରାଇବେ । ଏହାପରେ ଚକଟା ଓ ପଣା ଭୋଗ ଲାଗି କରାଯାଇ ଦଶମୀ ନୀତିକୁ ସମ୍ପର୍ଣ୍ଣ କରାଯିବ।
ସେପଟେ ରଥଖଳା ଚଳଚଞ୍ଚଳ । ତିନିରଥର ମହାରଣା ସେବକ, ଭୋଇ ସେବକ, ଚିତ୍ରକାର ସେବକ ଲାଗି ପଡିଛନ୍ତି । ହାତରେ ଆଉ ଦିନ ମାତ୍ର କେଇଟା । ଇତି ମଧ୍ୟରେ ତିନିରଥରେ ପାର୍ଶ୍ୱ ଦେବ ଦେବୀ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇ ଯାଇଛି । ତିନିରଥର ମହାରଣା ସେବକ ଏବଂ ଭୋଇ ସେବକମାନେ ମିଶି ତିନିରଥ ସମ୍ମୁଖ ଭାଗକୁ ଛାଡି ପ୍ରତି ପାର୍ଶ୍ୱରେ ତିନିଗୋଟି ଲେଖାଏଁ ୯ ଗୋଟି ପାର୍ଶ୍ୱ ଦେବ ଦେବୀଙ୍କୁ ଜଳଜନ୍ତ୍ର ଖାପରେ ଲଗାଇବା କାମ ସଂପନ୍ନ କରିଛନ୍ତି । ଶିଖର ଡମ୍ବରୁ ( ଦେବଦେବୀଙ୍କ ଆସ୍ଥାନ) ଆସ୍ଥାନ ସଂସ୍ଥାପନ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି।
ଚିତ୍ରକରଙ୍କ ଚିତ୍ର କାର୍ଯ୍ୟ
ଚିତ୍ରକାର ସେବକମାନଙ୍କୁ ମଧ୍ୟ ଫୁରସତ ନାହିଁ । ତିନି ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନିରଥର ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।
ରଥ ଦରଜୀ ସେବାଦରଜୀ ସେବକମାନେ ତିନିରଥର ବତା କନାରେ ଲେସ୍ ଫିଟିଙ୍ଗ କାର୍ଯ୍ୟ ଶେଷ କରି ସାରିଲେଣି । ତିନିରଥର ୧୨ ଗୋଟି ଦୁଆର ବେଢ଼ା ଏବଂ ୧୨ ଗୋଟି ଚନ୍ଦ୍ରଶାଳୀରେ ଚିକଣ ଜରୀ ଲେସ୍, ଫୁଲ,ଡାଳି ଲତା ପକା କାର୍ଯ୍ୟ ସହ ଶ୍ରୀବିଗ୍ରହଙ୍କ ବିଜେ ଚକା ପାଇଁ ବାନାରସି ଜରୀ କନାଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଶ୍ଚାତ ଭାଗ ପାଇଁ ଅପସର୍ ତକିଆ ପ୍ରସ୍ତୁତ କରୁଛନ୍ତି । ଏଥି ସହ ସାରଥୀଙ୍କ ପୋଷାକ ସିଲାଇ କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ଓଝା କମାର ସେବକମାନେ କାମରେ ଲାଗି ପଡ଼ିଛନ୍ତି । ତିନିରଥର ଜରୁରୀ କାଳୀନ ପରିସ୍ଥିତି ପାଇଁ ଆବଶ୍ୟକୀୟ ଲୁହା କଣ୍ଟା ସାଜ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି। ପାହି ମହାରଣା ଦୋଳବେଦୀ ଠାରେ ପାହି ମହାରଣାମାନେ ରଥ ଯାତ୍ରା ପାଇଁ ଆବଶ୍ୟକୀୟ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
