ଯାଜପୁର : ଧର୍ମଶାଳା ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା ଘଟଣା ପରେ ପୁରୁଣା ବିରଜା ହାଟ ସାମୟିତ ସ୍ଥଗିତ । ସାମୟିକ ଭାବେ ହାଟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖି ଏହି ନିଷ୍ପତ୍ତି ନେଇଛି ପ୍ରଶାସନ। ସ୍ଥାନ ଖାଲି କରିବାକୁ ମାଇକରେ ପ୍ରଚାର କରାଯାଇଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଏଠାରେ ଥିବା ପୁରାତନ ହାଟ କୁ ସନ୍ଥମାଧବକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ନିର୍ବାଚନ ପରେ ସେଇ ପୁରୁଣା ହାଟକୁ ପୁନଃ ପ୍ରତିଷ୍ଠା ପାଇଁ କେତେକ ଲୋକ ଉଦ୍ୟମ କରୁଛନ୍ତି। ଯାହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ ପରେ ଗତକାଲି ଆନ୍ଦୋଳନରେ ବସିଥିଲେ ସମର୍ଥକ।
ଅନ୍ୟପଟେ ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡିକୁ ଆକ୍ରମଣ ହୋଇଥିଲା । ବିଧାୟକ ଡିଡିଏମ ଅଫିସ ଯାଉଥିବା ବେଳେ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ବି ଆକ୍ରମଣ କରାଯାଇଥିଲା । ଗାଡିରେ ବିଧାୟକ ବସିଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା । ଆକ୍ରମଣରେ ବିଧାୟକଙ୍କ ଗାଡି ଭାଙ୍ଗିଯାଇଥିଲା ।