ଭୁବନେଶ୍ବରର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି -୨୦୨୫’ ର ଉଦଘାଟନ କରି ପ୍ରାୟ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାଜପୁର ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର । ଯାଜପୁରରେ ଆଜି ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳ ସମ୍ପଦ, ବିଦ୍ୟୁତ ପରିବହନ, ସଡକ, ସେତୁ, କେନାଲ ଆଦି ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରକଳ୍ପ ରହିଛି । ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ବ୍ୟାସ ନଗରରେ ପ୍ରାୟ ୭୮ କୋଟି ଟଙ୍କାର ବ୍ୟାସ ନଗରଠାରେ ବ୍ୟାସ ସରୋବର ଓ ଟାଉନ ହଲ ଉଦଘାଟିତ ହୋଇଛି।
ଯାଜପୁରରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ରଖା ଯାଇଛି । ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲାଯାଇଛି । ଆଜି ଏହାର ଉଦଘାଟନ ମଧ୍ୟ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହାର ନାମ ପରିବର୍ତ୍ତନ କରାଯାଇଛି । ଏହାକୁ ‘ମହାରାଜା ଯଯାତି କେଶରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ’ ଭାବରେ ନାମିତ କରାଯାଇଛି । ଏହା ଦ୍ୱାରା ମହାରାଜା ଯଯାତି କେଶରୀଙ୍କ ଗୌରବମୟ କୀର୍ତ୍ତିକୁ ପ୍ରକୃତ ସମ୍ମାନ ଦିଆଯାଇପାରିବ ବୋଲି ସେ କହିଛନ୍ତି । ଏଥିରେ ପ୍ରଥମ ବର୍ଷ ପାଇଁ 50ଟି ସିଟ୍ ମିଳିଛି । ଆସନ୍ତା ଶିକ୍ଷା ବର୍ଷଠାରୁ ଏହି ମେଡିକାଲ କଲେଜର ସିଟ୍ ସଂଖ୍ୟା 100କୁ ବୃଦ୍ଧି କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ସବୁ ଆବଶ୍ୟକ ଭିତ୍ତିଭୂମିର ବିକାଶ ମଧ୍ୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୫୦୭ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ କରାଯାଇଥିବା ବେଳେ, ୪୧ କୋଟି ଟଙ୍କାର ୫୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ପାଇଁ ଅନେକ ନୂତନ ପ୍ରକଳ୍ପ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ ବିରଜାଙ୍କ ପ୍ରସିଦ୍ଧ ମନ୍ଦିରର ଉନ୍ନତିକରଣ କରାଯିବ । ଏଥିରେ ବଗଳାମୁଖୀ ମନ୍ଦିର, ଶିବ ମନ୍ଦିର ଓ ବ୍ରହ୍ମକୁଣ୍ଡର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କରାଯିବ । ଏଥିପାଇଁ ୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ । ପୂର୍ବରୁ ଅନୁମୋଦନ ହୋଇଥିବା ୧୨ କୋଟି ଟଙ୍କାର ପ୍ରକଳ୍ପ ପାଇଁ DPR ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମା’ଙ୍କ ମନ୍ଦିର ପାଇଁ ଥିବା ଧର୍ମଶାଳାକୁ ଆହୁରି ଅଧିକ ଭକ୍ତଙ୍କ ରହିବା ପାଇଁ ଏହାର ସମ୍ପ୍ରସାରଣ କରାଯିବ । ଏଥିପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯିବ । ନାଭିଗୟା ଠାରେ ଥିବା ବିରଜା ଅଗ୍ନେଶ୍ୱର ହାଟର ମଧ୍ୟ ଉନ୍ନତି କରଣ କରାଯିବ । ଏଥିପାଇଁ ଅଧିକ ଜମି ଅଧିଗ୍ରହଣ କରାଯିବ ଏବଂ ୨୧ କୋଟି ୪୩ ଲକ୍ଷ ବିନିଯୋଗରେ ଯାଜପୁର ବାସୀଙ୍କ ସୁବିଧା ପାଇଁ ଏକ ସୁନ୍ଦର ଆଧୁନିକ ହାଟର ନିର୍ମାଣ କରାଯିବ । ୩୦ କୋଟି ଟଙ୍କା ବ୍ୟୟରେ ଯାଜପୁରରେ ଏକ ନୂଆ ବସ୍ ଟର୍ମିନାଲ୍ ମଧ୍ୟ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହା ସହିତ ଯାଜପୁରରେ ଏକ ହଜାର ଆସନ ବିଶିଷ୍ଟ ଏକ ନୂଆ ଟାଉନ୍ ହଲ୍ ମଧ୍ୟ ନିର୍ମାଣ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ମହୋତ୍ସବକୁ ସେ ଅନେକ ବାର ଦର୍ଶକ ଭାବେ ଆସି ଦେଖିଛନ୍ତି, କିନ୍ତୁ ଏଥର କିଛି ନୂତନତ୍ଵ ଅନୁଭବ ହେଉଛି। ବାତାବରଣରେ ଏକ ଅପୂର୍ବ ଅଧ୍ୟାତ୍ମିକତା ଏବଂ ଐଶ୍ଵରୀୟ ଶକ୍ତିର ସଞ୍ଚରଣ ହୋଇଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ମହାକୁମ୍ଭ ମେଳା ଚାଲିଛି ପ୍ରୟାଗ ରାଜରେ, ଏବଂ ଓଡିଶାରେ ଚାଲିଛି ସଂସ୍କୃତି ଓ କଳାର ମହାପର୍ବ, ଖଣ୍ଡଗିରି ମେଳା। ଏହି ପରିପ୍ରେକ୍ଷୀରେ ଆଜିର ଏହି ଯାଜପୁର ମହୋତ୍ସବର ଶୁଭାରମ୍ଭ ହେଉଛି, ଯାହା ସମସ୍ତଙ୍କ ମନରେ ଅଧ୍ୟାତ୍ମିକତାରେ ଭରିଦେଇଛି