ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଦୋଷୀ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ ଦଣ୍ଡ । ସବୁ ପ୍ରମାଣ ଓ ସାକ୍ଷ୍ୟକୁ ଯାଞ୍ଚ କରିବା ପରେ ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଦୀର୍ଘ ୭ ବର୍ଷ ପରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପରିବାରକୁ ମିଳିଲା ନ୍ୟାୟ । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ରବୀନ୍ଦଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହରେ ମୃତ୍ୟୁର ତାଣ୍ଡବ ଘଟାଇଥିଲା ପୁଞ୍ଜିଲାଲ । ତେବେ ୨୦୧୮ରୁ ୨୦୨୫ । ଦୀର୍ଘ ସାତ ବର୍ଷ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ୭ ବର୍ଷ ପରେ ଆସିଛି ରାୟ । ତେବେ କଣ ଥିଲା ପୁରା ଘଟଣାକ୍ରମ ଆସନ୍ତୁ ଜାଣିବା ।
୧୮ ଫେବ୍ରୁଆରୀ ୨୦୧୮ରେ ପାଟଣାଗଡ଼ର ସୌମ୍ୟଶେଖର ସାହୁ ଏବଂ ରିମା ସାହୁଙ୍କ ବିବାହ ହୋଇଥିଲା । ଫେବ୍ରୁଆରୀ ୨୩ରେ ସୌମ୍ୟ-ରିମାଙ୍କ ଘରକୁ ଆସିଥିଲା ପାର୍ସଲ । ବିବାହ ଉପହାର ହୋଇ ପାର୍ସଲ ଆସିଥିଲା ଛତିଶଡ଼ରୁ । ପାର୍ସଲ ଖୋଲିବା ପରେ ହେଲା ବିସ୍ଫୋରଣ । ସୌମ୍ୟ ଶେଖର ଏବଂ ତାଙ୍କ ଜେଜେ ମାଆ ଜେମାମଣିଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ହୋଇଥିଲେ ରିମା ।
ତେବେ ବାହାଘର ୫ ଦିନ ଭିତରେ ରିମାଙ୍କ ସିନ୍ଦୂର ଲିଭିଗଲା । ରିମାଙ୍କ ପରିବାରର ଅନୁରୋଧ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର। ଭାର ସମ୍ଭାଳିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ୨୦୧୮ ଏପ୍ରିଲ୍ ମାସରେ ମୁଖ୍ୟ ଅଭିଯୁକ୍ତକୁ ଧରିଥିଲା କ୍ରାଇମବ୍ରାଞ୍ଚ । ଭୈସାଁର ଜ୍ୟୋତି ବିକାଶ କଲେଜର ଇଂରାଜୀ ଅଧ୍ୟାପକ ଥିଲେ ପୁଞ୍ଜିଲାଲ । କ୍ରାଇମବ୍ରାଞ୍ଚ ସୂଚନା ମୁତାବକ, ପ୍ରତିଶୋଧ ନେବାକୁ ଯାଇ ଷଡ଼ଯନ୍ତ୍ର କରିଥିଲେ ପୁଞ୍ଜିଲାଲ । ପୁଞ୍ଜିଲାଲ ମେହେରଙ୍କ ସ୍ଥାନରେ ଜ୍ୟୋତି ବିକାଶ କଲେଜର ଅଧ୍ୟକ୍ଷ ହୋଇଥିଲେ ସୌମ୍ୟଙ୍କ ମାଆ ସଂଯୁକ୍ତା ସାହୁ । ଏହାକୁ ନେଇ ରାଗ ରଖିଥିଲେ ପୁଞ୍ଜିଲାଲ ।
ପୋଲିସ ସୂଚନା ମୁତାବକ, ୭ ମାସ ଧରି ଅନଲାଇନରେ ବୋମା ତିଆରି କରିବା ଶିଖିବା ସହ ବିସ୍ଫୋରକ ସାମଗ୍ରୀ ଯୋଗାଡ଼ କରିଥିଲେ। ବୋମା ପ୍ରସ୍ତୁତି ପରେ ପୁଞ୍ଜିଲାଲ ରାୟପୁର ଯାଇ ପାର୍ସଲ ପଠାଇଥିଲେ। ୨୦୨୫ ମାର୍ଚ୍ଚ ୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ବୟାନ ରେକର୍ଡ ହୋଇଥିଲା। ୩ ଏପ୍ରିଲରେ ପ୍ରାମାଣିକ ତଥ୍ୟ ନେଇ ପାଟଣାଗଡ଼ ଏଡିଜେ କୋର୍ଟରେ ଶେଷ ହୋଇଥିଲା ଶୁଣାଣି। ଆବେଦନକାରୀଙ୍କ ପକ୍ଷରୁ ୬୨ଟି ପ୍ରାମାଣିକ ତଥ୍ୟ ରଖାଯାଇଥିଲା। ସେପଟେ ପ୍ରତିପକ୍ଷଙ୍କ ତରଫରୁ ପୁଞ୍ଜିଲାଲଙ୍କ ସହ ୩ଟି ସାକ୍ଷ୍ୟ ରଖାଯାଇଥିଲା। ମେ ୯ ରେ ଆବେଦନକାରୀଙ୍କ ତରଫରୁ ଚୂଡ଼ାନ୍ତ ତଥ୍ୟ ରଖାଗଲା । ମେ ୧୪ରେ ପାଟଣାଗଡ଼ ଏଡିଜେ କୋର୍ଟରେ ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ କରି ରଖାଯାଇଥିଲା । ୧୫ ମେ’ ୨୦୨୫
ବୋମା ପ୍ରସ୍ତୁତି ନେଇ ପୁଞ୍ଜିଲାଲ ଦେଖାଉଥିବା ଡେମୋର ଭିଡିଓ ଆସିଲା । ୨୮ ମେ’ ୨୦୨୫ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ।