ସଂଚାର ବ୍ୟୁରୋ: ଜଗତସିଂହପୁର ବଡ଼ବାଗ ବାଣ ବିସ୍ଫୋରଣ ଘଟଣା । ମୃତକଙ୍କ ଘରୁ ଜବତ ହେଲା ପୁଳା ପୁଳା ବାଣ ଓ ବାରୁଦ । ଗତ ୩ ତାରିଖ ରାତିରେ ବଡ଼ବାଗ ଗ୍ରାମର ସୁଶୀଲ ଦାସଙ୍କ ଘରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ବଡ଼ପୁଅ ରାଜେଶ ଦାସ ଏବଂ ପତ୍ନୀ ସସ୍ମିତା ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ସାନପୁଅ ପରେସ ଦାସ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟ ଦାସ ଗୁରୁତର ଭାବେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ତହସିଲଦାରଙ୍କ ଉପସ୍ଥିତିରେ ଜଗତସିଂହପୁର ଥାନାଧିକାରୀ ବଡ଼ବାଗ ଗାଁରେ ଚଢାଉ କରିଛନ୍ତି । ରାଜେଶଙ୍କ ନୂଆ ଘରୁ ବିପୁଳ ପରିମାଣର ବାଣ ,ବାରୁଦ ଓ ବାଣ ତିଆରି ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀର ପରିମାଣ ଏତେ ଅଧିକ ଥିଲା ଯେ ଶେଷରେ ଟ୍ରାକ୍ଟରର ସହାୟତା ନିଆଯାଇଥିଲା । କିଏ ଏତେ ପରିମାଣର ସାମଗ୍ରୀ ଯୋଗାଉଥିଲା ଏବଂ ପ୍ରସ୍ତୁତ ବାଣକୁ କିଏ କିଣୁଥିଲେ ସେନେଇ ପୋଲିସ ଛାନବିନ ଚଳାଇଛି । ପୁଣିଥରେ ବଡବାଗ ଗାଁରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି । ଜଗତସିଂହପୁର ଥାନା ଠାରୁ ମାତ୍ର କିଛି କିମି ଦୂରରେ ଏଭଳି ବେଆଇନ ବାଣ ତିଆରି ହେଉଥିଲା । ତେବେ କିଭଳି ପୋଲିସ ନିକଟରେ ଏହାର ଖବର ନଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

