ସଂଚାର ବ୍ୟୁରୋ: ହମାସ ନେତା ଇସମାଇଲ ହାନିୟେଙ୍କୁ ହତ୍ଯା ପରେ ରକ୍ତମୁଖା ଇରାନ। ଇସ୍ରାଏଲ ଉପରେ ଆକ୍ରମଣ ଲାଗି ସୁପ୍ରିମ ଲିଡର ଆୟାତୋଲ୍ଲା ଖୋମେନୀଙ୍କ ନିର୍ଦ୍ଦେଶ ପରେ ମଧ୍ଯପ୍ରାଚ୍ଯରେ ବଢିଛି ଉତ୍ତେଜନା। ଏଣ୍ଟ୍ରି ମାରିଛି ଆମେରିକା। ମଧ୍ଯପ୍ରାଚ୍ଯକୁ ବାହୁବଳୀ ୟୁଏସଏସ ଆବ୍ରାହମ ଲିଙ୍କନକୁ ପଠାଇବା ଲାଗି କରିଛି ଘୋଷଣା। ସେପଟେ ହାନିୟେଙ୍କ ହତ୍ଯା ଘଟଣାର ହୋଇଛି ପର୍ଦ୍ଦାଫାସ।
ମଧ୍ଯପ୍ରାଚ୍ଯରେ ସମ୍ଭାବ୍ଯ ଯୁଦ୍ଧର କଳାବାଦଲ। ଇସ୍ରାଏଲ ଉପରେ ବଦଲା ନେବାକୁ ରକ୍ତମୁଖା ଇରାନ ସୁପ୍ରିମଲିଡର ଆୟାତୋଲ୍ଲା ଖୋମେନି। କୌଣସି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ। ଅଧିକୃତ ୱେଷ୍ଟବ୍ଯାଙ୍କ ଉପରେ ଇସ୍ରାଏଲ ହମଲାରେ ଜଣେ ହମାସ କମାଣ୍ଡରଙ୍କ ସମେତ ୫ ଜଣଙ୍କ ମୃତ୍ଯୁ ଘଟିବା ଘଟଣାରେ ଅଧିକ ଉତ୍ତେଜିତ ହୋଇଛି ଇରାନ। ସେପଟେ ଇରାନର ଦବଦବାକୁ ପ୍ରତିହତ କରିବା ଲାଗି ମଧ୍ଯପ୍ରାଚ୍ଯକୁ ଫାଇଟର ଜେଟ ସ୍କ୍ବାଡ୍ରନ ଓ ଏୟାରକ୍ରାଫ୍ଟ କ୍ଯାରିୟର ପଠାଇବା ଲାଗି ଆମେରିକା କରିଛି ଘୋଷଣା । ଇସ୍ରାଏଲର ସ୍ବାର୍ଥର ସୁରକ୍ଷା ଲାଗି ଆଗେଇ ଆସିଛି ଆମେରିକା। ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ୟୁଏସଏସ ଆବ୍ରାହମ ଲିଙ୍କନ ଏୟାରକ୍ରାଫ୍ଟ କ୍ୟାରିଅର ଓ ଡେଷ୍ଟ୍ରୟର ମଧ୍ୟପ୍ରାଚ୍ଯକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପେଣ୍ଟାଗନ ମୁଖପାତ୍ର ସାବ୍ରିନା ସିଂ।
ଇସ୍ରାଏଲ କିମ୍ବା ଆମେରିକାର ସମ୍ଭାବ୍ଯ ଆକ୍ରମଣର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ରିଭଲ୍ଯୁସନାରୀ ଗାର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଖୋମେନୀ। ସମ୍ଭାବ୍ଯ ଯୁଦ୍ଧକୁ ନେଇ ମଧ୍ଯପ୍ରାଚ୍ଯ ରାଷ୍ଟ୍ରଗୁଡିକରେ ଜାରି ହୋଇଛି ଆଲର୍ଟ। ତେଣେ ହମାସ ନେତା ଇସମାଇଲ ହାନିୟେଙ୍କ ହତ୍ଯା ଘଟଣାର ହୋଇଛି ପର୍ଦ୍ଦାଫାସ। ଆମେରିକାର ସହାୟତାରେ ସର୍ଟରେଞ୍ଜ ପ୍ରୋଜେକ୍ଟାଇଲ ଜରିଆରେ ତାଙ୍କୁ ତେହେରାନରେ ହତ୍ଯା କରାଯାଇଥିବା କହିଛି ଇସଲାମିକ ରଭଲ୍ଯୁସନାରୀ ଗାର୍ଡ କର୍ପସ। ଗତ ଏପ୍ରିଲ ୧୩ରେ ଇସ୍ରାଏଲ ଉପରେ ଇରାନ ୩ଶହରୁ ଅଧିକ ଡ୍ରୋନ ଓ ମିସାଇଲ ହମଲା କରିବା ପରେ ଉତକ୍ଷିପ୍ତ ହୋଇଥିଲା ଆମେରିକା।ମଧ୍ଯପ୍ରାଚ୍ଯରେ ସଙ୍କଟ ଘନେଇବା ପରେ ଇସ୍ରାଏଲ ରାଜଧାନୀ ତେଲ ଆଭିବକୁ ଆସନ୍ତା ଅଗଷ୍ଟ ୮ ଯାଏ ବିମାନ ଚଳାଚଳ ବନ୍ଦ କରିଛି ଏୟାର ଇଣ୍ଡିଆ ।