ନୂଆଦିଲ୍ଲୀ: ଟଳୁନି ଇଣ୍ଡିଗୋ ସଂକଟ । ଇଣ୍ଡିଗୋରେ ଭୟଙ୍କର ବିଭ୍ରାଟ ଜାରି ରହିଛି । ଗତକାଲି ଗୋଟିଏ ଦିନରେ ୫୫୦ ଇଣ୍ଡିଗୋ ଫ୍ଲାଇଟ ବାତିଲ ହୋଇଛି । କେବଳ ଦିଲ୍ଲୀରୁ ୫ଶହ ଫ୍ଲାଇଟ ବାତିଲ ହୋଇଛି। ଫ୍ଲାଇଟ ବାତିଲ ଯୋଗୁଁ ହଜାର ହଜାର ଯାତ୍ରୀ ହଇରାଣ ହୋଇଛନ୍ତି। ଏୟାରପୋର୍ଟରେ ସେମାନେ ଫସି ରହିଛନ୍ତି। ଏହି ବ୍ୟାଘାତ ପାଇଁ କ୍ଷମା ପ୍ରାର୍ଥନା କରିଛି ଏୟାରଲାଇନ । ବିଭ୍ରାଟ ପାଇଁ ଡିଜିସିଏ ପକ୍ଷରୁ ଇଣ୍ଡିଗୋ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦେଶର ସର୍ବବୃହତ କମ୍ ମୂଲ୍ୟର ବିମାନ କମ୍ପାନୀ ଇଣ୍ଡିଗୋ ପାଇଲଟ୍ ଏବଂ କ୍ରୁ ସଦସ୍ୟଙ୍କ ଅଭାବର ସମ୍ମୁଖୀନ ହେଉଛି। ଏହାଫଳରେ ଏୟାରଲାଇନ୍ସକୁ ୧୫୦୦ରୁ ଅଧିକ ଉଡ଼ାଣ ବାତିଲ କରିବାକୁ ବାଧ୍ୟ କରିଥିଲା। ଏହି ଉଡ଼ାଣ ବାତିଲ ନିଷ୍ପତ୍ତି ଇଣ୍ଡିଗୋ ପାଇଁ ମହଙ୍ଗା ପଡ଼ିଛି। ଫଳରେ ବିମାନ କମ୍ପାନୀକୁ ୭୧୬୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଏମିତିକି ଷ୍ଟକ୍ ବଜାରରେ କମ୍ପାନୀ ସେୟାର ମୂଲ୍ୟ ହ୍ରାସ ଘଟିଛି। ଦିନର କାରବାର ସମୟରେ ସେୟାର ୩% ରୁ ଅଧିକ ହ୍ରାସ ପାଇଛି
ନଭେମ୍ବର ମାସରେ ଇଣ୍ଡିଗୋ କୁ ମଧ୍ୟ ଅନେକ ଉଡ଼ାଣ ବାତିଲ କରିବାକୁ ପଡିଥିଲା। ତଥାପି, ଗତ କିଛି ଦିନ ଧରି ବିମାନ କମ୍ପାନୀର ସମସ୍ୟା ବୃଦ୍ଧି ପାଇଛି, ଯାହା ଫଳରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ହସ୍ତକ୍ଷେପ କରି ବିମାନ କମ୍ପାନୀଠାରୁ ଏ ନେଇ ସ୍ପଷ୍ଟୀକରଣ ମାଗିବାକୁ ବାଧ୍ୟ ହୋଇଛି। ପିକ୍ ସିଜିନ୍ ସମୟରେ କମ୍ପାନୀ କିପରି ଏହାର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବ ସେ ବିଷୟରେ ଏକ ବିସ୍ତୃତ ଯୋଜନା ଦାଖଲ କରିବାକୁ ଇଣ୍ଡିଗୋକୁ କୁହାଯାଇଛି।

