ଦୁବାଇ: ୨୦୧୫ ବିଶ୍ୱକପ୍ ସେମିଫାଇନାଲ ଓ ୨୦୨୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରିଛି ଭାରତ। ଏଠାରେ ଆଇସିସିର ଆଉ ଏକ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଏହି ଦୁଇ ଦଳ ଆସନ୍ତାକାଲି ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ବିଶ୍ୱକପ୍ର ପୂର୍ବ ଦୁଇଟି ପରାଜୟ କଥା ଭୁଲି ନାହିଁ। ଏଭଳି ସ୍ଥିତିରେ ଭଲ ଫର୍ମରେ ରହିଛି ଭାରତ। ଦୁବାଇରେ ସ୍ପିନ ଜାଲ ପକାଇ ଭାରତ ୩ଟି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧାରୁ ଅଧିକ ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କେବଳ ଗୋଟିଏ ମ୍ୟାଚ୍ ପୂରା ଖେଳିଛି। ଏହି ମ୍ୟାଚ୍ରେ ଦଳର ବ୍ୟାଟିଂ ବିସ୍ଫୋରଣ ଘଟାଇ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ୩୫୧ ରନ୍ର ଟାର୍ଗେଟକୁ ହାସଲ କରିଛି। ଦଳର ଅନ୍ୟ ଦୁଇଟି ମ୍ୟାଚ୍ ବାତିଲ ହୋଇଥିଲାବେଳେ ନବାଗତ ଖେଳାଳିମାନେ ମ୍ୟାଚ୍ ପ୍ରାକ୍ଟିସ ପାଇ ନାହାନ୍ତି। ଏସବୁ ସ୍ଥିତିରେ ଭାରତ ଏହି ମ୍ୟାଚ୍ ଲାଗି ପୂରା ପ୍ରସ୍ତୁତ ହୋଇଛି।
ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତି ଓ ମ୍ୟାଚ୍ ପ୍ରାକ୍ଟିସ୍ ଅଭାବରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଖେଳିବ। ଏହି ସମୟରେ ଭାରତ ଏହି ମୁକାବିଲାକୁ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।
ଭାରତ ବିରୋଧରେ ଇଂଲଣ୍ଡ ବରିଷ୍ଠ ଖେଳାଳିଙ୍କ ଅଭିଯୋଗ ହେଉଛି ଭାରତ ଗୋଟିଏ ଭେନ୍ୟୁ ଅର୍ଥାତ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ସମସ୍ତ ମ୍ୟାଚ୍ ଖେଳୁଛି। ଏହା ଫଳରେ ଦଳକୁ ଫାଇଦା ମିଳୁଛି। ଭିନ୍ନ ଭିନ୍ନ ପିଚ୍ କିମ୍ବା ପରିବେଶ ସହ ଭାରତୀୟ ଖେଳାଳିଙ୍କୁ ଖାପ୍ ଖୁଆଇବାକୁ ପଡ଼ୁ ନାହିଁ। ଇଂଲଣ୍ଡ ପୂରାତନ ଖେଳାଳିଙ୍କ ଏହି ଅଭିଯୋଗ ସତ ହେଉ କି ନ ହେଉ, ଭାରତ ଏଠାରେ ଅତି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛି। ବ୍ୟାଟିଂ ହେଉ ଅବା ବୋଲିଂ, ଫ୍ଲାଟ୍ ପିଚ୍ ହେଉ ଅବା ନ୍ୟୁଜିଲାଣ୍ଡ ବିପକ୍ଷ ସ୍ଲୋ ପିଚ୍ ସବୁଥିରେ ଭାରତୀୟ ଖେଳାଳିଙ୍କର ପ୍ରଦର୍ଶନ ଉନ୍ନତ ହୋଇଛି। ଦଳର ବରିଷ୍ଠ ଓ କନିଷ୍ଠ, ଟପ୍ ଅର୍ଡର କିମ୍ବା ମିଡଲ ଓ ଲୋୟର ଅର୍ଡର ଭାରତୀୟ ବ୍ୟାଟର ଦଳକୁ ବିପଦରୁ ଉଦ୍ଧାର କରିଛନ୍ତି।