ସଂଚାର ବ୍ୟୁରୋ: ପ୍ରଥମ ଦିନିକିଆ ଟାଇ ହେବା ପରେ ଦ୍ବିତୀୟ ମ୍ୟାଚ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ । ପ୍ରଥମ ଦିନିକିଆରେ ଶିଭମ ଦୁବେଙ୍କ ଶତ ଚେଷ୍ଟା ସତ୍ତ୍ବେ ଦଳର ବିଜୟ ଆଶା ମଉଳିଯାଇଛି । ମ୍ୟାଚ ଟାଇ ହୋଇଥିଲା । ପ୍ଲେଇଙ୍ଗ ୧୧କୁ ନେଇ ଚିନ୍ତା ରହିଥିବାବେଳେ ଦ୍ବିତୀୟ ଦିନିକିଆରେ ଦଳରେ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି କ୍ରୀଡ଼ାପ୍ରେମୀଙ୍କ ମହଲରେ ଚର୍ଚ୍ଚା ହେଉଛି । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏହି ନିଷ୍ପତ୍ତି ସହ ମ୍ୟାଚ୍ ବିଜୟ ଆଶା ନେଇ ପଡ଼ିଆକୁ ଓହ୍ଲାଇପାରନ୍ତି ।
ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ପ୍ରଥମ ମ୍ୟାଚରେ ରୋହିତ ଶୁଭମନ ଗିଲଙ୍କ ସହ ପାଳି ଆରମ୍ଭ କରିଥିଲେ । କିନ୍ତୁ ଗିଲ୍ ଏହି ମ୍ୟାଚରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ତେଣୁ ଆସନ୍ତା ମ୍ୟାଚରେ ରୋହିତ ଗିଲଙ୍କ ସ୍ଥାନରେ ୱିକେଟ କିପର ଋଷଙ ପନ୍ତଙ୍କୁ ଦଳରେ ସ୍ଥାନ ଦେଇପାରନ୍ତି । ଏହାସହିତ ରୋହିତ-ପନ୍ତ ଓପନିଙ୍ଗ ଯୋଡ଼ିରେ ଲେଫ୍ଟ-ରାଇଟ୍ କମ୍ବିନେସନ୍ ମଧ୍ୟ ପାଇପାରିବ ଟିମ ଇଣ୍ଡିଆ ।
ଅନ୍ୟ ପକ୍ଷରେ ଜଣେ ପେସ୍ ବୋଲରଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି ରୋହିତ । ଦ୍ୱିତୀୟ ମ୍ୟାଚରେ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ଖଲୀଳ ଅହମଦ କିମ୍ବା ହର୍ଷିତ ରାଣାଙ୍କୁ ଖେଳିବା ପାଇଁ ସୁଯୋଗ ମିଳିପାରେ । ରିୟାନ୍ ପରାଗ ମଧ୍ୟ ଜଣେ ଭଲ ଅଲରାଉଣ୍ଡର ଭାବରେ ଦଳରେ ସ୍ଥାନ ପାଇପାରନ୍ତି । ରିୟାନ୍ ପରାଗ ଟି-୨୦ ସିରିଜରେ ବ୍ୟାଟିଂ ଏବଂ ବୋଲିଂରେ କମାଲ କରିଛନ୍ତି । ତେବେ ପ୍ରଥମ ମ୍ୟାଚରେ ଶେଷ ପର୍ଯ୍ୟନ୍ତ ଲଢି ଶିବମ୍ ଦୁବେ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି । ଏହାସହିତ ୪ ଓଭର ବୋଲିଂ ମଧ୍ୟ କରିଛନ୍ତି, ଯେଉଁଥିରେ ଗୋଟିଏ ୱିକେଟ ସାମିଲ ରହିଛି ।