ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । କଟକର ବାରବାଟୀ ଗ୍ରାଉଣ୍ଡରେ ଖେଳାଯିବ ପ୍ରଥମ ଟି-ଟ୍ଵେଣ୍ଟି ମ୍ୟାଚ୍ । ଡିସେମ୍ବର ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ମ୍ୟାଚ୍ ପାଇଁ ଡିସେମ୍ବର ୧ରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ମ୍ୟାଚ୍ ନେଇ ସୋମବାର ଜିଲ୍ଲା ପ୍ରଶାସନ ସହ ଓସିଏ ଅଧିକାରୀଙ୍କ ବୈଠକ ବସିଥିଲା । ବୈଠକ ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, “ଆସନ୍ତା ଡିସେମ୍ବର ୧ରୁ ଅନଲାଇନ୍ରେ ମ୍ୟାଚ୍ ଟିକେଟ୍ ବିକ୍ରି କରାଯିବ । “Zomato District ଆପ୍ରେ ବିକ୍ରି ହେବ ଅନଲାଇନ୍ ଟିକେଟ୍ ।
ସଞ୍ଜୟ ବେହେରା କହିଛନ୍ତି, “ଓସିଏ ସହ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ୩ ଓ ୪ ତାରିଖରେ ଅଫଲାଇନ୍ ଟିକେଟ୍ ବିକ୍ରି କରାଯିବ । ୫ ଓ ୬ ତାରିଖ ଦୁଇଦିନ ସର୍ବସାଧାରଣଙ୍କ ଲାଗି କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ । ମୋଟ ୬ଟି କାଉଣ୍ଟରରେ ଲୋକଙ୍କ ଲାଗି ବିକ୍ରି ହେବ ଟିକେଟ୍ ।”
ଏବେ ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଦଳ ଦ୍ଵିପାକ୍ଷିକ ଟେଷ୍ଟ ସିରିଜ୍ ଖେଳୁଛି । ଏହା ପରେ ନଭେମ୍ବର ୩୦ରୁ ଡିସେମ୍ବର ୬ ମଧ୍ୟରେ ଭାରତ ସହ ଦକ୍ଷିଣ ଆଫ୍ରିକା ୩ଟି ଦିନିକିଆ ମ୍ୟାଚ୍ ଖେଳିବ ।
ଡିସେମ୍ବର ୯ରୁ ବାରବାଟୀରୁ ଆରମ୍ଭ ହେବ ଟି-ଟ୍ଵେଣ୍ଟି ଲଢ଼େଇ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ ୫ଟି ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳାଯିବ । ଏବେ ଭାରତୀୟ ଟି-ଟ୍ଵେଣ୍ଟି ଦଳର ନେତୃତ୍ଵ ସୂର୍ଯ୍ୟକୁମାର ଯାଦବ ନେଉଛନ୍ତି ।
ଭାରତ-ଦକ୍ଷିଣ ଆଫ୍ରିକା T20 ସୂଚୀ
ପ୍ରଥମ ଟି-ଟ୍ଵେଣ୍ଟି – ବାରବାଟୀ ଷ୍ଟାଡିୟମ୍, କଟକ – ସନ୍ଧ୍ୟା ୭ଟା
ଦ୍ଵିତୀୟ ଟି-ଟ୍ଵେଣ୍ଟି – ଚଣ୍ଡିଗଡ଼ (ମୁଲ୍ଲାନପୁର) – ସନ୍ଧ୍ୟା ୭ଟା
ତୃତୀୟ ଟି-ଟ୍ଵେଣ୍ଟି – ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ୍, ଧର୍ମାଶାଳା – ସନ୍ଧ୍ୟା ୭ଟା
ଚତୁର୍ଥ ଟି-ଟ୍ଵେଣ୍ଟି – ଏକନା କ୍ରିକେଟ ଷ୍ଟାଡିୟମ୍, ଲକ୍ଷ୍ନୌ – ସନ୍ଧ୍ୟା ୭ଟା
ପଞ୍ଚମ ଟି-ଟ୍ଵେଣ୍ଟି – ନରେନ୍ଦ୍ର ମୋଦି ଷ୍ଟାଡିୟମ୍, ଅହମଦାବାଦ – ସନ୍ଧ୍ୟା ୭ଟା
