ସଂଚାର ବ୍ୟୁରୋ: ଡିସେମ୍ବରରେ ଜମିବ କ୍ରିକେଟ ଫିଭର । ଶୀତୁଆ ସନ୍ଧ୍ୟାରେ ଆସନ୍ତା ୯ ତାରିଖରେ ତିନି ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ।ଫ୍ଯାନମାନେ ଏହି ଟି-ଟ୍ବେଣ୍ଟି ମ୍ୟାଚକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ଏ ନେଇ ଆଜି ଲୋକସେବା ଭବନରେ ମ୍ୟାଚ ଆୟୋଜନ ଓ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଯେପରି କୌଣସି ତୃଟି ନରହିବ ସେଥିଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ। ମୁଖ୍ୟସଚିବ, ପୋଲିସ ଡିଜିଙ୍କ ସମେତ ଓସିଏର ବରିଷ୍ଠ ଅଧିକାରୀମାନେ ମଧ୍ଯ ଉପସ୍ଥିତ ଥିଲେ। ପୂର୍ବରୁ ବାରବାଟୀରେ ୨୦୧୫, ୨୦୧୭ ଓ ୨୦୨୨ରେ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯାଇଥିଲା । ଶେଷ ଟି-ଟ୍ବେଣ୍ଟି ମ୍ୟାଚ୍ ୨୦୨୨ ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ୩ ବର୍ଷ ପରେ ପୁଣି ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ।

