ଆଜି ଇଂଲଣ୍ଡ ବନାମ ଭାରତ ଚତୁର୍ଥ T୨୦ । ଭାରତୀୟ ସମୟ ଅନୁଯାୟୀ ରାତି ୧୦ଟାରେ ମ୍ୟାଚ୍ ଆରମ୍ଭ ହେବ । ଲଗାତାର ଦୁଇଟି T୨୦ ମ୍ୟାଚରେ ଫେଲ୍ ମାରିଛି ଶ୍ରେୟସ ଆୟରଙ୍କ ଦଳ ତଥା ଟିମ୍ ଇଣ୍ଡିଆ । ଆଜିର ମ୍ୟାଚକୁ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଦଳ । T୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ଏଭଳି ପ୍ରଦର୍ଶନ କ୍ରୀଡ଼ାପ୍ରେମୀଙ୍କୁ ବ୍ୟଥିତ କରିଛି । ଆୟରଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ T୨୦ ଶୃଙ୍ଖଳାରେ ହାରିବା ଏଵଂ ଇଂଲଣ୍ଡ ବିରୁଦ୍ଧରେ ବି ପ୍ରଦର୍ଶନ ପୁଣି ଚିନ୍ତାଜନକ ରହିବା ଦଳର ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଯଦି ଆଜି ମ୍ୟାଚରେ ଟିମ ଇଣ୍ଡିଆ ହାରେ ତେବେ ଏହି ସିରିଜ ତ ଯିବ, ଏହାପରେ ବିଶ୍ଵ ଚାମ୍ପିଆନ ଦଳ ଉପରେ ଲଗାତାର ଦୁଇଟି ଟି୨୦ ମ୍ୟାଚ୍ ହାରିବାର ଅଲୋଡା ରେକର୍ଡ ଯୋଡ଼ିହେବ । ଅନ୍ୟପଟେ ଚୂଡ଼ାନ୍ତ ଏକାଦଶକୁ ନେଇ ଦଳ ଭିତରେ ନାନାଦି ଚର୍ଚ୍ଚା ଆଲୋଚନା ଭିତରେ ବିଧ୍ୱଂସୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ଗତ ଦୁଇ ମ୍ୟାଚରେ ସୁଯୋଗ ଦେଇ ଆସୁଛି ମ୍ୟାନେଜମେଣ୍ଟ । ହେଲେ ପ୍ରଦର୍ଶନ ନୈରାଶ୍ୟ ଜନକ ଥିବାରୁ ଆଜିର ମ୍ୟାଚରେ ପୁଣି ସଞ୍ଜୁ ସାମସନଙ୍କୁ ବ୍ୟାକ କରାଯିବାର ସମ୍ଭାବନା ଅଧିକ । ନିଜେ ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀର ଏହା ସ୍ପଷ୍ଟ କରିଛନ୍ତି ।
- ୨-୦ରେ ଆଗୁଆ ଇଂଲଣ୍ଡ
ଦୁଇ ଦଳ ମଧ୍ୟରେ ଖେଳାଯାଉଥିବା ଏହି ସିରିଜର ପ୍ରଥମ ଟି୨୦ ମ୍ୟାଚରେ ପ୍ରବଳ ବର୍ଷା ଯୋଗୁଁ କୌଣସି ଫଳ ମିଳିନଥିଲା । ଏହାପରେ ଦ୍ଵିତୀୟ ଓ ତୃତୀୟ ଟି୨୦ ମ୍ୟାଚ୍ ଜିତିବା ପରେ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ଅଛି । ସେପଟେ ଭାରତ ପାଖରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତି ସିରିଜ ସମାନ କରିବାର ସୁଯୋଗ ଅଛି । ଆଜି ଏହି ମ୍ୟାଚ୍ ପୂର୍ବରୁ ଦଳ ପରିଚାଳନା ମଧ୍ୟ ଏକ ଚୟନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ । ସବୁଠାରୁ ବଡ଼ ପ୍ରଶ୍ନ ସଞ୍ଜୁ ସାମସନଙ୍କୁ ନେଇ । ତାଙ୍କୁ ଦ୍ୱିତୀୟ ଏବଂ ତୃତୀୟ ଟି-୨୦ରୁ ବାଦ ଦିଆଯାଇ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ଦିଆଯାଇଥିଲା ।
- ସଞ୍ଜୁଙ୍କୁ ମିଳିପାରେ ସୁଯୋଗ
ସଞ୍ଜୁଙ୍କ ପ୍ରଦର୍ଶନ ବି ଏପର୍ଯ୍ୟନ୍ତ ଦଳର ଅନ୍ୟ ଖେଳାଳିଙ୍କ ତୁଳନାରେ ଖରାପ କିମ୍ବା ଭଲ ହୋଇନାହିଁ । ତଥାପି ଦଳ ବର୍ତ୍ତମାନ ୦-୨ ପଛରେ ଥିବାରୁ, ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସାମସନଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି । ସଞ୍ଜୁଙ୍କ କ୍ୟାରିୟର ଗତ ୪ ମାସ ମଧ୍ୟରେ ଅନେକ ଉତ୍ଥାନ-ପତନ ଦେଖିଛି । ସେ କିଛି ସମୟ ପାଇଁ ଦଳରୁ ବାହାରେ ଥିଲେ, ତା’ପରେ ପ୍ରଭାବଶାଳୀ ପ୍ରଦର୍ଶନ ସହିତ ଦଳକୁ ଫେରିଥିଲେ, କିନ୍ତୁ ଏବେ ସେ ପୁଣି ଥରେ ବାହାରେ ବସିବାକୁ ପଡ଼ିଛି । ଆଜି ମ୍ୟାଚରେ ସେ ବ୍ୟାକ୍ କରିପାରନ୍ତି ।
- ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଭାରତ
ଭାରତୀୟ ଦଳର ଖରାପ ପ୍ରଦର୍ଶନର ଦାୟିତ୍ୱ କେବଳ ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ନାହିଁ, କାରଣ ଶ୍ରେୟସ ତାଙ୍କ ପ୍ରତ୍ୟାବର୍ତ୍ତନ ସିରିଜରେ ହଠାତ୍ ଅଧିନାୟକ ଭାବରେ ନିଯୁକ୍ତି ପାଇଛନ୍ତି । ସେପଟେ ଦଳର ବିଜୟ ଉପରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଜିତ ଅଗରକରଙ୍କ ଚୟନ କମିଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରେ । ଦଳ ପରିଚାଳନାର ରଣନୀତି ମଧ୍ୟ ସମାଲୋଚନାର ସମ୍ମୁଖୀନ ହେଉଛି । ଏହି ସିରିଜକୁ ବରାବର କରି ଟିମ ଇଣ୍ଡିଆ ବଡ଼ ସମାଲୋଚନାରୁ ବର୍ତ୍ତିବାକୁ ଉଦ୍ୟମ କରିବ ।
ଟିମ ଇଣ୍ଡିଆ: ଶ୍ରେୟସ୍ ଆୟର୍ (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ୍ କିଶାନ୍, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ, ରବି ବିଷ୍ଣୋଇ, ପ୍ରସନ୍ନ କୃଷ୍ଣ, ସୂୟାଂଶ ଶେଡଗେ, ୱାଶିଂଟନ ସୁନ୍ଦର ।
ଇଂଲଣ୍ଡ ଦଳ: ହ୍ୟାରି ବ୍ରୁକ୍ (ଅଧିନାୟକ), ଫିଲ୍ ସଲ୍ଟ, ଜସ୍ ବଟଲର୍, ଟମ୍ ବାଣ୍ଟନ୍, ଜାକବ୍ ବେଥେଲ୍, ସାମ୍ କରନ୍, ୱିଲ୍ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲିଆମ୍ ଡସନ୍, ଆଦିଲ୍ ରସିଦ୍, ଜୋଶ୍ ଟଙ୍ଗ୍, ଜାର୍ଡନ୍ କକ୍ସ, ସୋନି ବେକର, ଲୁକ୍ ଉଡ୍, ସାକିବ୍ ମହମୁଦ୍, ରେହାନ୍ ଅହମ୍ମଦ, ଜେମ୍ସ କୋଲ୍ସ ।
