ସଂଚାର ବ୍ୟୁରୋ: ବଢ଼ିବାରେ ଲାଗି ଭାରତ-କାନାଡା କୂଟନୈତିକ ବିବାଦ। ସେପଟେ ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପ୍ରସଙ୍ଗରେ ଭାରତ ଓ କାନାଡା ମଧ୍ଯରେ ଗୋପନ ଆଲୋଚନା ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ଗତ ସପ୍ତାହରେ ସିଙ୍ଗାପୁରରେ କାନାଡାର ଜାତୀୟ ନିରାପତ୍ତା ପରାମର୍ଶଦାତାଙ୍କ ସହ ଭାରତ ପ୍ରତିପକ୍ଷ ଅଜିତ ଡୋଭାଲ ଆଲୋଚନା କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହି ବୈଠକରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ହତ୍ଯା ଓ ଅନ୍ଯାନ୍ଯ ଶିଖ ନେତାଙ୍କୁ ଆକ୍ରମଣ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗର ହାତ ଥିବା ନେଇ କାନାଡା କହିଥିଲା ବୋଲି ସୂଚନା ମିଳିଛି। ସେପଟେ ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛି କେନ୍ଦ୍ର ବୈଦେଶିକ ବ୍ଯାପାର ମନ୍ତ୍ରାଳୟ। ଭାରତ ମାଟିରୁ ଗୁରୁତର ଅପରାଧିକ କାର୍ଯ୍ୟକଳାପ ଚାଲିଛି ବୋଲି ଅଭିଯୋଗ କରିଛି କାନାଡା । କାନାଡାର ଅଭିଯୋଗ ଅନୁସାରେ କାନାଡାରେ ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗ ସହ ଭାରତୀୟ ଏଜେଣ୍ଟମାନେ କାମ କରୁଛନ୍ତି ଏବଂ ସେମାନେ ଖଲିସ୍ତାନୀ ସପକ୍ଷବାଦୀ ଶକ୍ତିଙ୍କୁ ଟାର୍ଗେଟ କରୁଛନ୍ତି । ଏନସିପି ନେତା ବାବା ସିଦ୍ଦିକଙ୍କ ହତ୍ଯାକୁ ନେଇ ଭାରତରେ ଚର୍ଚ୍ଚା ଥମିନଥିବାବେଳେ କାନାଡାର ଏହି ଅଭିଯୋଗ ଦ୍ବିପାକ୍ଷିକ ସମ୍ପର୍କରେ ଅଧିକ ତିକ୍ତତା ସୃଷ୍ଟି କରିଛି । ୧୯୮୫ ଜୁନ ୨୩ରେ କନିଷ୍କ ବିମାନ ବିସ୍ଫୋରଣ ଘଟଣାରେ କାନାଡାରେ ବାସ କରୁଥିବା ଖଲିସ୍ତାନୀ ଆତଙ୍କୀ ଜଡିତ ବୋଲି ପୂର୍ବରୁ ଭାରତ ଅଭିଯୋଗ କରିଆସୁଛି । ଏହି ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିଲେ ୩୨୯ ଭାରତୀୟ ଓ ଅନ୍ଯାନ୍ଯ ନାଗରିକ ।