ସଂଚାର ବ୍ୟୁରୋ: ସୀମା ପ୍ରସଙ୍ଗରେ ଭାରତ-ବାଂଲାଦେଶ ମଧ୍ଯରେ କାହିଁକି ବଢୁଛି ତିକ୍ତତା । ତାରବାଡ ନିର୍ମାଣକୁ କାହିଁକି ବିରୋଧ କରୁଛି ବାଂଲାଦେଶ । ଏହି ପ୍ରସଙ୍ଗକୁ ନେଇ କୂଟନୈତିକ ବିବାଦ ଜାରି ରହିଛି । ବିଶେଷ କରି ଆତଙ୍କୀ ସଂଗଠନ ଜମାଏତ-ଇ-ଇସଲାମି ଚାପରେ ବାଂଲାଦେଶ ସରକାର କାର୍ଯ୍ୟ କରୁଛି । ବର୍ଡର ଗାର୍ଡ ବାଂଲାଦେଶ ବା ବିଜିବି ଏଥିରେ ପ୍ରମୁଖ ସହାୟତା ଦେଉଛି । ଭାରତ-ବାଂଲାଦେଶ ସୀମା ୪ ହଜାର ୧୫୬ କିଲୋମଟିର ହୋଇଥିବାବେଳେ ଭାରତ ବର୍ତ୍ତମାନ ସୁଦ୍ଧା ୩ ହଜାର ୨୭୧ କିଲୋମିଟର ସୀମରେ ତାରବାଡ଼ ଲଗାଇସାରିଲାଣି । ତେବେ ଅବଶିଷ୍ଟ ୮୮୫ କିଲୋମିଟର ସୀମାରେ ତାରବାଡ ନିର୍ମାଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି ଜମାଏତ। ସୀମାର ୫ଟି ସ୍ଥାନ ଅର୍ଥାତ ଚପାଇ ନବାବଗଞ୍ଜ, ନାଓଗାଁ, ଲାଲମୋନିରହାଟ ଓ ତିନ୍ ବିଘା କରିଡର ଆଦି ସ୍ଥାନରେ ଜମାଏତ ସଶସ୍ତ୍ର ବିରୋଧ ପ୍ରଦର୍ଶନ କରୁଛି। ଯଦି ସୀମାର ଏହି ଅଂଶରେ ତାରବାଡ଼ ବିଛାଯାଏ ତେବେ ଗୋଚାଲାଣ ଓ ଡ୍ରଗ୍ସ ଟ୍ରାଫିକିଂରେ ବାଧା ସୃଷ୍ଟି ହେବ ବୋଲି କୁହାଯାଉଛି । ଗତ ରବିବାର ତାରବାଡ଼ ପ୍ରସଙ୍ଗରେ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ ଜାରି କରିଥିଲା ବାଂଲାଦେଶ । ଜବାବରେ ଭାରତର ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ବାଂଲାଦେଶର ଡେପୁଟୀ ହାଇ କମିଶନର ନୁରାଲ ଇସଲାମଙ୍କୁ ସମନ ଜାରି କରିଥିଲା । ପ୍ରଶ୍ନ ଉଠୁଛି ତାରବାଡକୁ କାହିଁକି ବାଂଲାଦେଶ ବିରୋଧ କରୁଛି । ବାସ୍ତବ କଥା ହେଲା- ଏହାରି ମୂଳରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ବି ରହିଛି । ବାଂଲାଦେଶକୁ ଆଇଏସଆଇର ପ୍ରବେଶ ରହିଛି ଏବଂ ପଶ୍ଚିମବଙ୍ଗ ଓ ପୂର୍ବାଞ୍ଚଳରେ ଅପରାଧିକ କାର୍ଯ୍ୟର ପ୍ରସାର ଲାଗି ଉନ୍ମୁକ୍ତ ସୀମା ବ୍ୟବହାର ଲାଗି ଆଇଏସଆଇ ଚାହୁଁଛି । ଏପରିକି ଏହି ସବୁ ସ୍ଥାନରେ ସୌର ଆଲୋକ ଲଗାଇବାକୁ ବି ବିରୋଧ କରୁଛନ୍ତି ବିଜିବି ଓ ଆଇଏସଆଇ । ଏହି ଖୋଲାପଥ ଦେଇ ବାଂଲାଦେଶୀମାନେ ଭାରତକୁ ଆସିବେ ଏବଂ ଜମାଏତ ଓ ଅନ୍ଯାନ୍ୟ ଆତଙ୍କୀ ସଂଗଠନ ଲାଗି ସ୍ଲିପର ସେଲ ଜରିଆରେ କାମ କରିବେ ବୋଲି ଜଣାଯାଇଛି । ଏପରିକି ଆଇଏସଆଇଏସ କର୍ମୀ ବି ପ୍ରବେଶ କରିବା ଆଶଙ୍କା ରହିଛି ।