ସଂଚାର ବ୍ୟୁରୋ: ଭାରତ ଓ ବାଂଲାଦେଶ ମଧ୍ଯରେ ବଢିଲା କୂଟନୈତିକ ତିକ୍ତତା। ଭାରତ ଲାଗି ନିଯୁକ୍ତ ହାଇକମିଶନର ମୁସ୍ତାଫିଜୁର ରହମାନଙ୍କ ସମେତ ୫ କୂଟନୀତିଜ୍ଞଙ୍କୁ ପ୍ରତ୍ଯାହାର କରିଛି ବାଂଲାଦେଶ। କେବଳ ଭାରତ ନୁହେଁ, ବ୍ରସଲେସ, କାନବେରା, ଲିସବନରୁ ବି କୂଟନୀତିଜ୍ଞଙ୍କୁ ପ୍ରତ୍ଯାହାର କରାଯାଇଛି। ସେହିପରି ନ୍ୟୁୟର୍କସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ନିୟୋଜିତ ଦୂତଙ୍କୁ ତୁରନ୍ତ ଢାକ୍କା ଫେରିବା ଲାଗି ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରାଳୟ। ବାଂଲାଦେଶରେ ଜାତୀୟ ନିର୍ବାଚନ ହେବା ପୁର୍ବରୁ ଏହି କୂଟନୈତିକ ପଦକ୍ଷେପ ନେଇଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର। ଗତ ୨୦୨୦ରୁ ନୂଆଦିଲ୍ଲୀରେ ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟ କରୁଥିଲେ ରହମାନ। ଗତ ଅଗଷ୍ଟରେ ହୋଇଥିବା ବାଂଲାଦେଶ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହସିନା ଭାରତ ଆସିବା ପରେ ଦୁଇ ଦେଶ ମଧ୍ଯରେ ବଢିଥିଲା ଶୀତଳ ବିବାଦ। ହିଂସାରେ ପ୍ରାୟ ୭୦୦ ଲୋକଙ୍କ ମୃତ୍ଯୁ ଘଟିଥିବାବେଳେ ଅନ୍ତରୀଣ ସରକାରର ଦାୟିତ୍ବ ନେଇଥିଲେ ପ୍ରଫେସର ମହମ୍ମଦ ୟୁନୁସ।