ଆଇସିସି ମହିଳା ଟି-୨୦ ବିଶ୍ବକପ୍ରେ ରବିବାର ଖେଳାଯିବ ମହାମୁକାବିଲା । ସେମିଫାଇନାଲ ଟିକେଟ୍ ହାସଲ ପାଇଁ ଆଜି ଟିମ୍ ଇଣ୍ଡିଆ ପାଇଁ ବଡ଼ ମ୍ୟାଚ୍ । ଆଇସିସି ମହିଳା ଟି-୨୦ ବିଶ୍ୱକପ୍ରେ ନିଜର ଯାତ୍ରାକୁ ଗ୍ରୁପ୍ ପର୍ଯ୍ୟାୟ ପରେ ବି ଜାରି ରଖିବାକୁ ହେଲେ ଭାରତକୁ ଶେଷ ଗ୍ରୁପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ହରାଇବାକୁ ପଡ଼ିବ ।
ଆଜି ସଂଧ୍ୟାରେ ଭାରତ-ଅଷ୍ଟ୍ରେଲିଆରେ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଲଣ୍ଡନ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ । ଗ୍ରୁପ୍-‘A’ର ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଅଷ୍ଟ୍ରେଲିଆ ୪ଟି ମ୍ୟାଚ୍ରୁ ୮ ପଏଣ୍ଟ ପାଇ ଶୀର୍ଷରେ ଥିବାବେଳେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ୬ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
ଭାରତ ଯଦି ଆଜିର ମ୍ୟାଚ ଜିତେ, ତେବେ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ଉପରେ ରହି ସେମିଫାଇନାଲ୍ ଟିକେଟ୍ ପକ୍କା କରିବ । କିନ୍ତୁ ଯଦି ଅଷ୍ଟ୍ରେଲିଆ ତା’ର ବିଜୟ ଅଭିଯାନ ଜାରି ରଖି ତେବେ ଭାରତ ପାଇଁ ସେମିଫାଇନାଲ ରାସ୍ତା ସହଜ ହେବ ନାହିଁ ।
ସେପଟେ ଯଦି ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ହରାଇଦିଏ, ତେବେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ । ଯଦି ଦକ୍ଷିଣ ଆଫ୍ରିକା ବାଂଲାଦେଶଠାରୁ ହାରିଯାଏ, ତେବେ ଭାରତ ଅଷ୍ଟ୍ରେଲିଆଠାରୁ ହାରିବା ସତ୍ତ୍ୱେ ମଧ୍ୟ ସେପମିଫାଇନାଲକୁ କ୍ୱାଲିଫାଏ କରିପାରିବ ।
ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏପର୍ଯ୍ୟନ୍ତ ୩୭ଟି ମ୍ୟାଚ୍ ଖେଳାଯାଇଛି । ଅଷ୍ଟ୍ରେଲିଆ ଏଥିମଧ୍ୟରୁ ୨୭ଟି ମ୍ୟାଚ୍ ଜିତିଥିବାବେଳେ ଭାରତ କେବଳ ୯ଟି ଜିତିଛି ଏବଂ ଗୋଟିଏ ମ୍ୟାଚ୍ ଡ୍ର’ ହୋଇଛି । ମହିଳା ଟି-୨୦ ବିଶ୍ୱକପରେ ମଧ୍ୟ ଅଷ୍ଟ୍ରେଲିଆ ଅଗ୍ରଣୀ ରହିଛି । ବିଶ୍ବକପ୍ ଇତିହାସରେ ଦୁଇ ଦଳ ମଧ୍ୟରେ ଛଅଟି ମ୍ୟାଚ୍ ଖେଳାଯାଇଛି । ସେଥିରୁ ଅଷ୍ଟ୍ରେଲିଆ ପାଞ୍ଚଟିରେ ବିଜୟୀ ହୋଇଛି । ଭାରତର ଏକମାତ୍ର ବିଜୟ ୨୦୧୮ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ଆସିଥିଲା, ଯେଉଁମ୍ୟାଚ୍ରେ ସ୍ମୃତି ମନ୍ଧାନା ୮୩ ରନର ଚମତ୍କାର ଇନିଂସ ଖେଳିଥିଲେ । ତଥାପି, ଭାରତ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଛି । ଭାରତ ୨୦୨୫ ମହିଳା ଏକଦିବସୀୟ ବିଶ୍ୱକପର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଏବଂ ଏହି ବର୍ଷ ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ମଧ୍ୟ ଜିତିଥିଲା।
