ଗତକାଲି ସନ୍ଧ୍ୟାରୁ ଭାରତ- ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ହୋଇଛି। ତେବେ ଅସ୍ତ୍ର ବିରତିର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ପାକିସ୍ତାନ ସେନା ଉଲ୍ଲଂଘନ କରିଛି। ରାତିରେ ଜମ୍ମୁ ସେକ୍ଟରର ଏକାଧିକ ସ୍ଥାନରେ ଗୁଳିମାଡ଼ କରାଯାଇଥିଲା। ତେବେ ଏହାରି ଭିତରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ଭାରତ ପକ୍ଷରୁ ପାକିସ୍ତାନ ଉପରେ ଲଗାଯାଇଥିବା କଟକଣା ହଟିଛି କି ନା ?
ସୂଚନାଯୋଗ୍ୟ – ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଲଗାଇଥିବା କଟକଣା ବଳବତ୍ତର ରହିଛି। ପାକିସ୍ତାନ ସହ ଭାରତର ସମସ୍ତ ବ୍ୟବସାୟିକ କାରବାର ବନ୍ଦ ରହିଛି। ଏଥିସମେତ ସିନ୍ଧୁ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିଛି। ଅସ୍ତ୍ର ବିରତି ନେଇ ଦୁଇ ଦେଶ ମଧ୍ୟରେ କୌଣସି ସର୍ତ୍ତ ରଖାଯାଇନାହିଁ। ଅସ୍ତ୍ର ବିରତି ପରେ ସୀମା ଅଞ୍ଚଳରେ ଲାଗୁ ହୋଇଥିବା ବ୍ଲାକ୍ ଆଉଟ୍ ହଟିଛି। ପାକିସ୍ତାନ ଉପରେ ବର୍ତ୍ତମାନ ମଧ୍ୟ ଭାରତ କଡା ନଜର ରଖିଛି। ପାକିସ୍ତାନ ଅଘଟଣ ଘଟାଇଲେ ଏହାର କଡ଼ା ଜବାବ ଦେବ ଭାରତ। ପୂର୍ବପରି ଭାରତର ଆତଙ୍କବାଦ ବିରୋଧ ଲଢେଇ ଜାରି ରହିବ।
ସେପଟେ ଅସ୍ତ୍ରବିରତି ଖବର ଆସିବା ପରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହିତ ଫୋନରେ କଥା ହୋଇଛନ୍ତି। ଚୀନ୍ ପକ୍ଷରୁ ଚୀନ୍ ଚୀନ୍ ବୈଦେଶିକ ମନ୍ତ୍ରୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ସମସ୍ତ ପ୍ରକାରର ଆତଙ୍କବାଦକୁ ବିରୋଧ କରିଥିଲେ। ଅନ୍ୟପଟେ ଚୀନ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସହ ଫୋନରେ କଥା ହେଇ କହିଛନ୍ତି ପାକିସ୍ତାନର “ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ଜାତୀୟ ସ୍ୱାଧୀନତା” ବଜାୟ ରଖିବାରେ ଚୀନ ସମର୍ଥନ ଜାରି ରଖିବ ।
