ଏବେ କୌଣସି ଘରୋଇ ହସ୍ପିଟାଲ ହେଉ କି ନର୍ସିଂହୋମ୍ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ଚିକିତ୍ସା ବିଲ୍ ବାକି ଥିଲେ ମଧ୍ୟ କୌଣସି ଘରୋଇ ହସ୍ପିଟାଲ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ରୋଗୀଙ୍କ ମୃତଦେହ ରଖିପାରିବ ନାହିଁ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଆସାମ କ୍ୟାବିନେଟ୍ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘୋଷଣା କରିଛନ୍ତି ।
ସେ କହିଛନ୍ତି, ମୃତଶରୀରକୁ ଧରି ପରିବାର ଉପରେ ଚାପ ପକାଇବା ଅମାନବୀୟ । ହସ୍ପିଟାଲଗୁଡ଼ିକୁ ଆଉ କୌଣସି ପରିସ୍ଥିତିରେ ଏପରି କରିବାକୁ ଅନୁମତି ଦିଆଯିବ ନାହିଁ । ଏବେ କୌଣସି ଘରୋଇ ହସ୍ପିଟାଲ ରୋଗୀଙ୍କ ମୃତଦେହ ରଖିପାରିବ ନାହିଁ । ଚିକିତ୍ସା ପାଇଁ ଦେୟ ବାକି ଥିଲେ ମଧ୍ୟ ମୃତ୍ୟୁ ନିଶ୍ଚିତ ହେବାର ଦୁଇ ଘଣ୍ଟା ମଧ୍ୟରେ ପରିବାରକୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ଯଦି ହସ୍ପିଟାଲ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ପାଇଁ ମୃତଦେହ ରଖିଥାଏ, ତେବେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଏକ ୨୪x୭ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୦୪ ଆରମ୍ଭ କରିବେ, ଯେଉଁଥିରେ ଲୋକମାନେ ମୃତଦେହ ହସ୍ତାନ୍ତର ନ କରିବା ବିଷୟରେ ଅଭିଯୋଗ କରିପାରିବେ । ଅଭିଯୋଗ ପଞ୍ଜିକୃତ ହେବା ମାତ୍ରେ, ଏହାକୁ ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ସ୍ଥାନୀୟ ପୋଲିସ ଏବଂ ହସ୍ପିଟାଲର ଅଭିଯୋଗ ସମାଧାନ କମିଟିକୁ ପଠାଯିବ । ଯଦି କୌଣସି ହସ୍ପିଟାଲ୍ ଦ୍ୱାରା ଭୁଲ ଭାବରେ ମୃତଦେହ ରଖାଯାଇଥାଏ, ତେବେ ସମ୍ପୃକ୍ତ ଅଧିକାରୀ ଘଟଣାସ୍ଥଳକୁ ଯାଇ ମୃତଦେହ ପରିବାରକୁ ହସ୍ତାନ୍ତର କରିବେ । ହସ୍ପିଟାଲ ପ୍ରଶାସନ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବେ ।
ଅଯଥାରେ ମୃତଦେହ ଅଟକାଇବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ଘରୋଇ ହସ୍ପିଟାଲ ୩ ରୁ ୬ ମାସ ପାଇଁ ଲାଇସେନ୍ସ ନିଲମ୍ବନ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଇପାରିବ । ଯଦି ଏପରି ଭୁଲ ପୁଣି ହୁଏ, ତେବେ ହସ୍ପିଟାଲର ପଞ୍ଜିକରଣ ସ୍ଥାୟୀ ଭାବରେ ବାତିଲ ମଧ୍ୟ କରାଯାଇପାରିବ ।
ଆସାମରେ ଘରୋଇ ନର୍ସିଂ ହୋମ ଦ୍ବାରା କରାଯାଉଥିବା ଜୋର ଜବରଦସ୍ତି ଗତିବିଧିକୁ ରୋକିବା ପାଇଁ ଏସଓପି ଏବଂ ନିୟମକୁ ମଞ୍ଜୁରୀ ଦିଆଯାଇଛି । ଏମିତି ଘଟଣା ବିଷୟରେ ସୂଚନା ୪ ଘଣ୍ଟା ଭିତରେ ପୋଲିସ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦିଆଯିବା ଉଚିତ ।