ସଂଚାର ବ୍ୟୁରୋ: ଆମେରିକୀୟ ରିସର୍ଚ୍ଚ ଫାର୍ମ ତଥା ସର୍ଟ ସେଲର ହିଣ୍ଡେନବର୍ଗର ଆଉ ଏକ ଖୁଲାସା ପରେ ଭାରତରେ ହଲଚଲ୍। ଭାରତୀୟ କ୍ୟାପିଟାଲ ମାର୍କେଟରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ବିଜେପି ଅଭିଯୋଗ କରିଛି। ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ବାମୀ ନିଜ ପଦବୀର ଦୁରୁପଯୋଗ କରିଥିବା ହିଣ୍ଡେନବର୍ଗ ରିପୋର୍ଟରେ ଅଭିଯୋଗ କରିଥିଲା। ଆଦାନୀ ଗ୍ରୁପ ସହ ସଂପର୍କୀତ ସେବି ଅଧ୍ୟକ୍ଷାଙ୍କ ଖବର ଭାରତୀୟ ସେୟାର ବଜାରକୁ ଆଜି ପ୍ରଥମରୁ ଯଦିବା ପ୍ରଭାବିତ କରିଥିଲା କିନ୍ତୁ କିଛି ସମୟ ପରେ ମାର୍କେଟ୍ ରିକଭର କରିଯାଇଥିଲା। ତେବେ ଏ ସଂପର୍କୀତ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ଭାରତରେ ରାଜନୈତିକ ବୟାନବାଜି ଜୋର ଧରିଛି। ପୂର୍ବତନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ବିରୋଧୀ ଭାରତରେ ଆର୍ଥିକ ଅରାଜକତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ଭାରତରେ ଘୃଣା ଏବଂ ଆର୍ଥିକ ଅରାଜକତା ସୃଷ୍ଟି ପାଇଁ କଂଗ୍ରେସ ଉଦ୍ୟମ କରୁଥିବା ରବିଶଙ୍କର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଚାହୁଁଚି ଭାରତୀୟ ସେୟାର ବଜାର କ୍ରାସ୍ କରିଯାଉ। ରିପୋର୍ଟ ଶନିବାରରୁ ଆସିଥିବା ବେଳେ, ରବିବାର ଏହାକୁ ଜୋରସୋରରେ ପ୍ରଚାରିତ କରାଯାଇଥିଲା। ଆଜି ମାର୍କେଟକୁ କ୍ଷୁଦ୍ର ତଥା ଘରୋଇ ନିବେଶର ସ୍ଥିର ରଖିବା ଅନେକ ବାର୍ତ୍ତା ଦେଉଛି ବୋଲି ରବିଶଙ୍କର କହିଥିଲେ। ହିଣ୍ଡେନବର୍ଗର ରିପୋର୍ଟ ସାର୍ବଜନୀନ ହେବା ପରେ ଆଦାନୀ ସେୟାରରେ ୩ରୁ ୪ ପ୍ରତିଶତ ହ୍ରାସ ହୋଇଥିଲା ମାତ୍ର ଶେଷବେଳକୁ ଏହା ରିକଭର କରିଯାଇଛି। ସେନସେକ୍ସ, ନିଫଟି, ଫିନ୍ ନିଫଟି ଓ ବ୍ୟାଙ୍କ ନିଫଟି ପ୍ରମୁଖ ସେକ୍ଟରରେ ବୃଦ୍ଧି ପରିଲକ୍ଷିତ ହୋଇଛି।