ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଖରାପ । ୫୨ ବର୍ଷୀୟ କାମ୍ବଲି ଠିକ୍ ଭାବରେ ଚାଲିପାରୁ ନାହାନ୍ତି । ଚାଲିବାରେ ତାଙ୍କୁ ଅସୁବିଧା ହେଉଛି । ତାଙ୍କର ମାନସିକ ସ୍ଥିତି ମଧ୍ୟ ଖରାପ ବୋଲି କୁହାଯାଉଛି । କାମ୍ବଲିଙ୍କ ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ନାହିଁ ଯେ ସେ ନିଜର ଚିକିତ୍ସା କରାଇପାରିବେ ।
ଏବେ ବିନୋଦ କାମ୍ବଲିଙ୍କର ଏଭଳି ସ୍ଥିତିରେ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ମହାନ୍ ବ୍ୟାଟ୍ସମ୍ୟାନ ସୁନିଲ ଗାଭାସ୍କର । ଗାଭାସ୍କର କାମ୍ବଲିଙ୍କୁ ନିଜ ‘ପୁଅ’ ଭଳି ମାନନ୍ତି । ସେ ଆଶା ରଖିଛନ୍ତି ଯେ କାମ୍ବଲି ବହୁତ ଜଲଦି ନିଜ ଗୋଡ଼ରେ ଠିଆ ହେବେ । ଗାଭାସ୍କର ଆଶ୍ୱସ୍ତ କରିଛନ୍ତି, ୧୯୮୩ ବିଶ୍ୱକପ୍ ବିଜେତା ଟିମର ସଦସ୍ୟମାନେ ଏମିତି କ୍ରିକେଟରମାନଙ୍କ ସହାୟତା ପାଇଁ ଏକଜୁଟ ହେବେ ।
ଏକ ଗଣମାଧ୍ୟମକୁ ସେ କହିଛନ୍ତି ଯେ ‘୧୯୮୩ର ଟିମ୍ ଯୁବ ଖେଳାଳିମାନଙ୍କୁ ନେଇ ବହୁତ ସଚେତନ । ଯଦି ଆପଣ ସେମାନଙ୍କ ବୟସ ଦେଖିବେ, ତା’ ହେଲେ ଆମମାନଙ୍କ ମଧ୍ୟରୁ କିଛି ଜଣଙ୍କ ପାଇଁ ସେମାନେ ପୁଅ ଭଳି । ଖାସ୍ କରି, ଯେତେବେଳେ ଭାଗ୍ୟ ସେମାନଙ୍କ ହାତ ଛାଡ଼ି ଦିଏ, ଆମେ ସମସ୍ତେ ବହୁତ ଚିନ୍ତିତ ରହିଥାଉ । ମୁଁ ସାହାଯ୍ୟ ଶବ୍ଦ ପସନ୍ଦ କରେ ନାହିଁ’ ।
ଗାଭାସ୍କର ଆହୁରି କହିଛନ୍ତି, ‘୮୩ ଟିମ୍ ଯାହା କରିବାକୁ ଚାହୁଁଛି, ତାହା ହେଉଛି ତାଙ୍କର ଯତ୍ନ ନେବା । ଆମେ ବିନୋଦ କାମ୍ବଲିଙ୍କ ଯତ୍ନ ନେବାକୁ ଚାହୁଁଛୁ ଏବଂ ତାଙ୍କୁ ତାଙ୍କ ଗୋଡ଼ରେ ଛିଡ଼ା କରାଇବାରେ ସାହାଯ୍ୟ କରିବାକୁ ଚାହୁଁଛୁ’ ।
‘ଆମେ ଏହା କେମିତି କରିବୁ, ତାହା ଆଗକୁ ଯାଇ ଦେଖିବୁ । ଯେଉଁମାନେ ଭାଗ୍ୟ ସହିତ ସଂଘର୍ଷ କରୁଛନ୍ତି, ଆମେ ସେହି କ୍ରିକେଟରମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ’ ।
କହି ରଖୁଛୁ, କାମ୍ବଲି ଭାରତ ପାଇଁ ୧୭ ଟେଷ୍ଟ ଏବଂ ୧୦୪ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ଏହି ବାମହାତୀ ବ୍ୟାଟ୍ସମ୍ୟାନ ଟେଷ୍ଟରେ ୧୦୮୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୪ ଶତକ ଏବଂ ୩ ଅର୍ଦ୍ଧଶତକ ରହିଛି ।