ସଂଚାର ବ୍ୟୁରୋ: ଉବୁଟୁବୁ ସଂଗମ ନଗରୀ ପ୍ରୟାଗରାଜ। ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ଗଂଗା ଓ ଯମୁନା। ସହରର ବୁଢିଛି ରାସ୍ତାଘାଟ ଓ ଘରଦ୍ଵାର। ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ପ୍ରଶାସନ ପକ୍ଷରୁ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ। ସଂଗମ ନଗରୀରେ ନିଜର ଭୟଙ୍କର ରୂପ ଦେଖାଇଛନ୍ତି ଦୁଇ ନଦୀ। ଗଙ୍ଗା ଏବଂ ଯମୁନାର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯମୁନାର ଜଳସ୍ତର ଗଙ୍ଗା ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କଚହରୀ ଅଞ୍ଚଳ ବ୍ୟତୀତ, ବନ୍ୟା ଜଳ ଏବେ ସହର ଆଡକୁ ମୁହାଁଇଛି। ଲୋକମାନେ ଘର ଛାଡି ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି। ବନ୍ୟା ରିଲିଫ୍ ଶିବିରରେ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି କାରଣରୁ ରିଲିଫ୍ କେନ୍ଦ୍ରରେ ବ୍ୟବସ୍ଥା ମଧ୍ୟ ଭାଙ୍ଗି ପଡ଼ିଛି। ୯୦୦ରୁ ଅଧିକ ଲୋକ ରିଲିଫ ଶିବିରରେ ଅଛନ୍ତି। କରଚଣା ତହସିଲ ଅଞ୍ଚଳରେ, ଗତ କିଛି ଦିନ ଧରି ଗଙ୍ଗା, ଯମୁନା ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି।