ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷାର ପ୍ରଭାବ। ଶୁକ୍ରବାରଠାରୁ ରାଜ୍ୟରେ କାଳବୈଶାଖୀ ସ୍ଥିତିରେ ବୃଦ୍ଧି ଘଟିବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ। ଯଦିଓ କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ହେବ, ମାତ୍ର ଦିନ ବେଳା ରାଜ୍ୟରେ ପୂର୍ବବତ୍ ଗୁଳୁଗୁଳି ଜାରି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସହ ଗୁଳୁଗୁଳି ଜନିତ ୟେଲୋ ଆଲର୍ଟ ଜାରି ହୋଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ଏକ ଟ୍ରଫ୍ ଲାଇନ ଉପ-ହିମାଳାୟ ପଶ୍ଚିମବଙ୍ଗ ଏବଂ ସିକିମରୁ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଉତ୍ତର ଛତିଶଗଡ଼ ଦେଇ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ଉଚ୍ଚରେ ରହିଛି। ଫଳରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ଭାରି ବର୍ଷା ହେଉଛି। ବର୍ଷା ଯୋଗୁଁ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ପ୍ରାୟ ୪-୫ ଡିଗ୍ରୀ ସେଲସିୟସ୍ ହ୍ରାସ ହୋଇଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରାୟ ୨-୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି।
ତେବେ ଶୁକ୍ରବାର ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟାହ୍ଣ/ସନ୍ଧ୍ୟା ସମୟରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି। ଏହାସହିତ ନୂଆପଡା, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ସୋନପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବିଜୁଳି ଘଡଘତି ସହ ଝଟକା ପବନର ବେଗ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ ଏବଂ କୋମୋରିନ୍ କ୍ଷେତ୍ର ଏବଂ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ଆଣ୍ଡାମାନ ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରରେ ଆହୁରି ଅଗ୍ରସର ହୋଇଛି। ଆଗାମୀ ୩-୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ ଏବଂ କୋମୋରିନ୍ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଅବଶିଷ୍ଟ ଅଂଶ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ଉପରେ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି।