ତାତିରେ ଜଳୁଛି ଓଡ଼ିଶା । ଆଗକୁ ଆହୁରି ଜଳିବ । ପଶ୍ଚିମରେ ଅସମ୍ଭାଳ ହେଲାଣି ତାତି । ୪୩ ପାର କଲାଣି ପାରଦ । ତାତି ୪୫ ଡିଗ୍ରି ସେଲସିୟସ ଛୁଇଁବ । ୨୨ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ । ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ବର ଓ ପୁରୀରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ଯାଏ ରହିବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳରେ ୪୦ ରୁ ୪୫ ଡିଗ୍ରୀ ସେଲସିୟସ ଯାଏ ରହିପାରେ । ୧୮ ଓ ୧୯ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି । ଉପକୂଳରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେବ ।
ଟାଣ ଖରା ସମୟରେ ଯାତ୍ରୀ ପରିବହନ ଉପରେ କଟକଣା ଲଗାଇବେ ସରକାର । ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ । ଯାତାୟତ କରିବା ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀବାହୀ ଓ ମାଲ ପରିବହନ କରୁଥିବା ଲୋକଙ୍କ ପାଇଁ ପ୍ରଚୁର ପରିମାଣରେ ORS ଓ ପିଇବା ପାଣିର ବ୍ୟବସ୍ଥା କରିବେ । ଆଜି ଜିଲ୍ଲାପାଳଙ୍କ ସହିତ ଭିସିରେ ବୈଠକ କରିବା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ମାନଙ୍କୁ ଅଧିକୃତ କରାଯାଇଥିବା କହିଛନ୍ତି ସୁରେଶ ପୂଜାରୀ ।
