ଟକଟକ ହୋଇ ଫୁଟୁଛି ସାରା ଓଡ଼ିଶା । ଆକାଶରୁ ନିଆଁ ବର୍ଷୁଛି । ପାରଦ ୪୩ ଡେଇଁ ୪୪ ଡିଗ୍ରୀ ମୁହାଁ ହେଲାଣି । ୧୮ ତାରିଖ ସୁଦ୍ଧା ପହଞ୍ଚିବ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିବ । ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ । ମାତ୍ର ସୀମିତ ଅଞ୍ଚଳରେ ବା କାଁ ଭାଁ । ବଡ଼ ବର୍ଷା ସମ୍ଭାବନା ଏବେ କମ୍ ।
ଗୁରୁବାର ଟିଟିଲାଗଡ଼ ପହଞ୍ଚିଗଲା ୪୩.୭ ଡିଗ୍ରୀରେ । ଝାରସୁଗୁଡ଼ା ବି ୪୩.୬ ଡିଗ୍ରୀ ଛୁଇଁଥିଲା । ୧୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ସେଥିମଧ୍ୟରୁ ସମ୍ବଲପୁର ୪୨.୨, ହୀରାକୁଦ ୪୨.୨, ଭବାନୀପାଟଣା ୪୨.୫, ବଲାଙ୍ଗୀର ୪୨.୨ ତାତିରେ ଛଟପଟ ହୋଇଥିଲା । ଉପକୂଳରେ ପାରଦ ୩୫-୩୬ ଡିଗ୍ରୀ ରହିଥିଲେ ବି ଗୁଳୁଗୁଳି ପ୍ରକୋପ ଅସହ୍ୟ ହୋଇଛି । ଆସନ୍ତା ଦୁଇଦିନ ରାଜ୍ୟର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । ସମଗ୍ର ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳିରୁ ନିସ୍ତାର ନାହିଁ ।
ଅନ୍ୟପଟେ ୧୮ ଓ ୧୯ରେ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ ତାରିଖ (ଶୁକ୍ରବାର) ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ପାରଦ ୪୪ ଡିଗ୍ରୀ ଛୁଇଁପାରେ । ଉପକୂଳ ଓଡ଼ିଶା ୩୭- ୩୮ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଛି ।
