ସଂଚାର ବ୍ୟୁରୋ: ଦଶନ୍ଧି ପରେ ହରିୟାଣାରେ କ୍ଷମତାକୁ ଆସିପାରେ କଂଗ୍ରେସ। ବୁଥ ବାହୁଡ଼ା ମତ ଅନୁସାରେ ହରିୟାଣାରେ କଂଗ୍ରେସ କରିପାରେ ସରକାର। ଧୂଳିସାତ ହେବ ବିଜେପିର ହାଟ୍ରିକ ଲକ୍ଷ୍ଯ। ରାଜ୍ଯରେ କଂଗ୍ରେସକୁ ୫୦ରପ ୫୮ ଆସନ ଏବଂ ବିଜେପିକୁ ୨୦ରୁ ୨୮ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ହରିଆଣାରେ ବିଜେପିର ସମ୍ଭାବ୍ଯ ପରାଜୟ ଲାଗି ୫ଟି କାରଣ ଦାୟୀ। ପ୍ରଥମଟି ହେଲା ଗତ ମାର୍ଚ୍ଚରେ ମୁଖ୍ଯମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ହଟାଇବା। ଦଳରେ ଥିବା ଅସନ୍ତୋଷ ଦୂର ଲାଗି ହାଇକମାଣ୍ଡ ମୁଖ୍ଯମନ୍ତ୍ରୀ ପରିବର୍ତ୍ତନ କରି ନାଏବ ସିଂ ସାଇନିଙ୍କୁ ମୁଖ୍ଯମନ୍ତ୍ରୀ କରାଇଥିଲେ। ମାତ୍ର ଏହା ଦଳ ଲାଗି କ୍ଷତି ଘଟାଇଥିଲା। ଦ୍ବିତୀୟ କାରଣ ହେଲା- ବେକାରୀ। ୨୦୨୧-୨୨ରେ ବେକାରୀ ୯ ପ୍ରତିଶତ ଥିଲା। ଯାହାକି ଜାତୀୟ ହାରର ପ୍ରାୟ ଦୁଇଗୁଣ। ୨ ଲକ୍ଷ ପଦବୀ ପୂରଣ ଲାଗି ଦଳ ଘୋଷଣା କରିଥିଲେ ବି ୧ ଲକ୍ଷ ୮୪ ହଜାର ପଦବୀ ଖାଲି ରହିଥିଲା। ତୃତୀୟ କାରଣ ହେଲା- ସହରାଞ୍ଚଳରୁ ବେଶୀ ଭୋଟ ପାଇନାହିଁ ବିଜେପି। ଚତୁର୍ଥ କାରଣ ହେଲା- ଦୁର୍ନୀତି ହଟାଇବା ସକାଶେ ତତକାଳୀନ ଖଟ୍ଟର ସରକାର ଇ-ଗଭର୍ଣ୍ମାନ୍ସ ସଂସ୍କାରକୁ ଗୁରୁତ୍ବ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦୁଇଟି ଅନଲାଇନ ପୋର୍ଟାଲ ଆରମ୍ଭ କରିଥିଲେ। ମାତ୍ର ଅଧିକାଂଶ ଲୋକଙ୍କ ଲାଗି ଏହି କାର୍ଯ୍ଯକ୍ରମ ଅପହଞ୍ଚ ଥିଲା। ପଞ୍ଚମ ତଥା ଶେଷ କାରଣ ହେଲା- କେବଳ ପେପରରେ ସୀମିତ ଥିଲା ବିଜେପି ସରକାର। ଗତ ଅଗଷ୍ଟରେ ସରକାର ୨୪ ଶସ୍ଯ ଲାଗି ଏମଏସପି ଦେବା ସକାଶେ ଘୋଷଣା କରିଥିଲେ। ସେହିପରି ଅଗ୍ନିବୀରଙ୍କ ଲାଗି ସୁଧମୁକ୍ତ ଋଣ ଓ ୧୦ ପ୍ରତିଶତ ହରିଜଣ୍ଟାଲ ରିଜର୍ଭେସନ ଲାଗି ଘୋଷଣା କରିଥିଲେ। ମାତ୍ର ଏସବୁ ପୂରଣ ହୋଇପାରି ନଥିଲା