ସଂଚାର ବ୍ୟୁରୋ: ଗୁଜରାଟରେ ବନ୍ୟା ସ୍ଥିତି ସାଂଘାତିକ। ପ୍ରବଳ ବର୍ଷା ଯୋଗୁଁ ଅନେକ ନଦୀ ବିପଦସୀମା ଅତିକ୍ରମ କରି ବନ୍ୟା ସୃଷ୍ଟି କରିଛି। ବଡ଼ୋଦରାରେ ବିଶ୍ୱାମିତ୍ରି ନଦୀ ବିପଦସୀମା ୨୫ ଫୁଟ ଅତିକ୍ରମ କରି ୩୭ ଫୁଟରେ ପହଞ୍ଚିଛି। ଫଳରେ ଅନେକ ସହରର ନିମ୍ନାଞ୍ଚଳରେ ପାଣି ପଶିଛି। ଦକ୍ଷିଣ ଗୁଜରାଟରେ ଅମ୍ବିକା, ପୁର୍ଣ୍ଣା, ଓ କାବେରୀ ନଦୀ ଉଛୁଳିବା ଫଳରେ ତାପୀ, ନବସାରୀ ଓ ଭରୁଚ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି। ମହୀସାଗର ଓ ସାବରମତୀ ନଦୀ ମଧ୍ୟ ଆନନ୍ଦ, ଖେଡ଼ା ଓ ବଡ଼ୋଦରା ଜିଲ୍ଲାରେ ବିପଦସୀମା ଅତିକ୍ରମ କରିଛି। ବଡ଼ୋଦରା, ଜାମନଗର, ଦେବଭୂମି ଦ୍ୱାରକା, ରାଜକୋଟ ଓ ନବସାରୀ ଆଦି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଗୁରୁତର ହୋଇଛି। ଉଦ୍ଧାରକାର୍ଯ୍ଯରେ ସେନା, NDRF, SDRF ଓ ବାୟୁସେନା ନିୟୋଜିତ ଅଛନ୍ତି। ବନସକଣ୍ଠା ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଥିବା ଲକ୍ଷାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅମ୍ବାଜୀରାଜପଥରେ ଥିବା ଏକ ଅଣ୍ଡରପାସରେ ଏକ ବସ ବୁଡ଼ିଥିବା ସୂଚନା ମିଳିଛି। ବନସକଣ୍ଠା, ପାତନ, ମେହସାନା, କଚ୍ଛ ଜିଲ୍ଲା ଲାଗି ଫ୍ଲାସଫ୍ଲଡ ଆଲର୍ଟ ଜାରି ହୋଇଛି। ଧାରୋଇ ଓ ସନ୍ଥ ସରୋବର ଡ୍ୟାମ, ବସନା ବ୍ୟାରେଜରୁ ୯୪ ହଜାର କ୍ୟୁସେକ ଜଳ ନିର୍ଗତ ହେବା ଯୋଗୁ ସ୍ଥିତି ବିପନ୍ନ ହୋଇଛି।

