ଆଜି ୨୦୨୫ରେ ଆବୁଧାବିରେ ଆଇପିଏଲ ୨୦୨୬ର ମିନି-ନିଲାମର ରୋମାଞ୍ଚ ଆରମ୍ଭ ହୋଇଯାଇଛି । କେବଳ ୭୭ଟି ସ୍ଲଟ୍ ପୂରଣ କରିବା ପାଇଁ ୧୦ଟି ଦଳ ମଇଦାନରେ ଅଛନ୍ତି । କ୍ୟାମରନ ଗ୍ରୀନ୍ଙ୍କୁ କିଣିବା ପାଇଁ ଅନେକ ଦଳ ମଧ୍ୟରେ ନିଲାମ ଟେବୁଲରେ ଲଢେଇ ଦେଖିବାକୁ ମିଳିଥିଲା । ରାଜସ୍ଥାନ ରୟାଲ୍ସ ଏବଂ କେକେଆର ମଧ୍ୟରେ ଗ୍ରୀନ୍ଙ୍କ ପାଇଁ ଦୀର୍ଘ ସମୟ ଧରି ଲଢେଇ ଚାଲିଥିଲା । ଏହା ପରେ ଚେନ୍ନାଇ ଏବଂ କେକେଆର ମଧ୍ୟରେ ଗ୍ରୀନ୍ଙ୍କ ପାଇଁ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ଶେଷରେ ଗ୍ରୀନ୍ଙ୍କୁ କେକେଆର ୨୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି ।
ଗ୍ରୀନ୍ ଆଇପିଏଲରେ ତାଙ୍କର ଏଣ୍ଟ୍ରି ୨୦୨୩ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ କରିଥିଲେ । ସେହି ବର୍ଷ ତାଙ୍କୁ ୧୭.୫ କୋଟି ଟଙ୍କାରେ କିଣାଯାଇଥିଲା । ସେ ସେହି ସମୟର ସବୁଠାରୁ ଦାମୀ ବିଦେଶୀ ଖେଳାଳିମାନଙ୍କ ମଧ୍ୟରୁ ଜଣେ ହୋଇପାରିଥିଲେ । ସେ ନିଜର ମୂଲ୍ୟକୁ ସଠିକ୍ ବୋଲି ପ୍ରମାଣିତ କରିଥିଲେ ଏବଂ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର ଆଇପିଏଲ ପରିସଂଖ୍ୟାନ ତାଙ୍କ ପ୍ରତିଭା ବିଷୟରେ କହିଥାଏ ।
ମାଲାମାଲ୍ ହେଲେ ଖେଳାଳି, ଟଙ୍କା ବର୍ଷା କଲେ ଫ୍ରାଞ୍ଚାଇଜ୍ । ଆଇପିଏଲ୍ ଖେଳାଳି ନିଲାମରେ ଆଜି ପ୍ଲେୟାରଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍ । ତେବେ ଏହି କ୍ରମରେ ଶ୍ରୀଲଙ୍କାର ଦ୍ରୁତ ବୋଲର ମଥୀଶା ପଥିରାନାଙ୍କୁ ୧୮ କୋଟି ଟଙ୍କା ଦେଇ ନିଜ ଟିମରେ ସାମିଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳୁଥିବା ଏହି ଖେଳାଳିଙ୍କୁ ଏଥର ନିଜ ଟିମରେ ସାମିଲ କରିଛି କେକେଆର୍ । ତେବେ ଅକ୍ସନକୁ ଆସିବା ସହିତ ପଥିରାନାଙ୍କୁ ନେବାକୁ ଏକାଧିକ ଫ୍ରାଞ୍ଚାଇଜ୍ ନିଜର ବିଡ୍ ଲଗାଇଥିଲେ । ହେଲେ ଶେଷରେ କିନ୍ତୁ ବାଜି ମାରିଛି କେକେଆର୍ । ସେପଟେ ଭାରତୀୟ ସ୍ପିନ୍ ବୋଲର ରବି ବିଷ୍ଣୋଇ ସମସ୍ତଙ୍କୁ ଚମକାଇ ୭ କୋଟି ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ନିଜ ଟିମରେ ସାମିଲ କରିଛି । ଏହାସହ ଦେଖିବାକୁ ଗଲେ ଶ୍ରୀଲଙ୍କାର ସ୍ପିନ ବୋଲର ମହୀଶ ତିକ୍ଷଣା ଏବଂ ଆଫଗାନୀ ସ୍ପିନର ମୁଜିବ ଉର ରେହମାନଙ୍କୁ କୌଣସି ପ୍ରାଞ୍ଚାଇଜ୍ କିଣିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି ।

