PF ଗ୍ରାହକଙ୍କ ପାଇଁ ବଡ଼ ଖବର । ଏଣିକି ପିଏଫ୍ ଖାତାରୁ ଟଙ୍କା ଉଠାଇବା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । EPFO ପକ୍ଷରୁ UPI ଆଧାରିତ ପିଏଫ୍ ପ୍ରତ୍ୟାହାର ଟେଷ୍ଟିଂ ସଫଳତାର ସହ ଶେଷ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏହି ନୂଆ ସୁବିଧା ଫଳରେ ଗ୍ରାହକମାନେ ପିଏଫ୍ ଟଙ୍କାକୁ ସିଧାସଳଖ ନିଜ ବ୍ୟାଙ୍କ ଆକାଉଣ୍ଟକୁ UPI ଆପ୍ ମାଧ୍ୟମରେ ମାତ୍ର କେଇ ମିନିଟ୍ ମଧ୍ୟରେ ଟ୍ରାନ୍ସଫର କରିପାରିବେ । ପୂର୍ବରୁ ପିଏଫ୍ ଉଠାଣ ପାଇଁ EPFO ପୋର୍ଟାଲରେ ଅନଲାଇନ୍ କ୍ଲେମ୍ କରିବାକୁ ପଡ଼ୁଥିଲା । ଯେଉଁଥିରେ କମ୍ପାନୀର ଭେରିଫିକେସନ୍ ଏବଂ ପେପରୱାର୍କ ଯୋଗୁ ସପ୍ତାହେ ପର୍ଯ୍ୟନ୍ତ ସମୟ ଲାଗୁଥିଲା । ବର୍ତ୍ତମାନ ଆବେଦନ କରିବାର କିଛି ମିନିଟ୍ ମଧ୍ୟରେ ଟଙ୍କା ସିଧାସଳଖ ଲିଙ୍କ୍ ଥିବା ବ୍ୟାଙ୍କ ଖାତାକୁ ଆସିଯିବ । ଜରୁରୀ ପରିସ୍ଥିତିରେ ଗ୍ରାହକମାନେ ସେମାନଙ୍କର ମୋଟ ପିଏଫ୍ ବାଲାନ୍ସର ୭୫% ପର୍ଯ୍ୟନ୍ତ ଟଙ୍କା ଏହି ମାଧ୍ୟମରେ ଉଠାଇପାରିବେ । EPFO 3.0 ର ଏହି ଡିଜିଟାଲ୍ ଅପଗ୍ରେଡ୍ ଅଧୀନରେ ଆଗକୁ ATM ମାଧ୍ୟମରେ ମଧ୍ୟ ପିଏଫ୍ ଟଙ୍କା ଉଠାଇବାର ଯୋଜନା ରହିଛି ।
ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କ ପାଖରେ କିଛି ଜରୁରୀ ଜିନିଷ ଅପଡେଟ୍ ରହିବା ଆବଶ୍ୟକ । UAN ନମ୍ବର ସକ୍ରିୟ ଥିବା ଦରକାର । UAN ଅର୍ଥାତ ୟୁନିଭରସାଲ ଆକାଉଣ୍ଟ ନମ୍ବର । ସେହି UAN ସହ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ଥିବା ଜରୁରୀ । KYC ବିବରଣୀ ସମ୍ପୂର୍ଣ୍ଣ ସଠିକ୍ ଥିବା ମଧ୍ୟ ଆବଶ୍ୟକ । ଏଥିରେ ଟଙ୍କା ଯେପରି ଠକେଇ ନହୋଇପାରିବ ସେଥିପାଇଁ ଆଧାର OTP ବା ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ପରି କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ରହିବ । ମେଡିକାଲ୍ ଏମରଜେନ୍ସି, ଉଚ୍ଚଶିକ୍ଷା, ବିବାହ, କିମ୍ବା ଘର କିଣିବା ପରି ନିର୍ଦ୍ଦିଷ୍ଟ କାରଣ ପାଇଁ ହିଁ ଏହି ଟଙ୍କା ଉଠାଯାଇପାରିବ । EPFO ର ଏହି ପଦକ୍ଷେପ ଦ୍ୱାରା ଦେଶର ୭ କୋଟିରୁ ଅଧିକ ସଦସ୍ୟ ଲାଭବାନ ହେବେ । କେବଳ ସେତିକି ନୁହେଁ, ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ WhatsApp ଭିତ୍ତିକ ସପୋର୍ଟ ସିଷ୍ଟମକୁ ମଧ୍ୟ ବୃଦ୍ଧି କରାଯାଉଛି । ଏହି UPI ବ୍ୟବସ୍ଥା ଖୁବ୍ ଶୀଘ୍ର ସାରା ଦେଶରେ ପର୍ଯ୍ୟାୟକ୍ରମେ ଲାଗୁ ହେବାକୁ ଯାଉଛି ।

