ସୁନା ପ୍ରେମୀଙ୍କୁ ବଡ଼ ଝଟକା । ମହଙ୍ଗା ହେଲା ସୁନା ଓ ରୁପା । ଆମଦାନୀ ଶୁଳ୍କ ୬% ରୁ ବଢ଼ି ୧୫% କୁ ଛୁଇଁଲା! । ଆଜିଠୁ ଦେଶରେ ସୁନା ଓ ରୁପା କିଣିବା ମହଙ୍ଗା ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କକୁ ୬%ରୁ ବଢ଼ାଇ ୧୫% କରି ଦିଆଯାଇଛି । ଏଥିରେ ୧୦% ବେସିକ୍ କଷ୍ଟମ୍ସ ଡ୍ୟୁଟି ଏବଂ ୫% କୃଷି ଭିତ୍ତିଭୂମି ବିକାଶ ସେସ୍ ସାମିଲ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର କିଛି ଦିନ ପୂର୍ବରୁ ସରକାର ଶୁଳ୍କ ବଢ଼ାଇବାର କୌଣସି ଯୋଜନା ନାହିଁ ବୋଲି କହିଥିଲେ। କିନ୍ତୁ ହଠାତ୍ ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ସୁନା ଆମଦାନୀ କମାଇ ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି ।
୨୦୨୬ ଆର୍ଥିକ ବର୍ଷରେ ସୁନା ଆମଦାନୀ ପ୍ରାୟ ୭୦ ବିଲିୟନ ଡଲାର ଛୁଇଁଛି। ଇରାନ ସହ ଚାଲିଥିବା ସଂଘର୍ଷ ଯୋଗୁଁ ଅଶୋଧିତ ତୈଳ ଦର ମଧ୍ୟ ବଢୁଛି। ଯାହା ଅର୍ଥନୀତି ଉପରେ ଚାପ ପକାଉଛି। ତେଣୁ ଦେଶର ସ୍ବାର୍ଥ ପାଇଁ ଅତି କମରେ ବର୍ଷେ ଅନାବଶ୍ୟକ ସୁନା ନକିଣିବାକୁ କହିଥିଲେ ପ୍ରଧାନମନ୍ତ୍ରୀ। ଶୁଳ୍କ ବଢିବା ଦ୍ବାରା ଘରୋଇ ବଜାରରେ ସୁନା ଓ ରୁପା ଗହଣାର ଦାମ ସିଧାସଳଖ ବଢ଼ିବ। ମଧ୍ୟବିତ୍ତ ପରିବାର ପାଇଁ ବିବାହ କିମ୍ବା ପର୍ବପର୍ବାଣୀରେ ସୁନା କିଣିବା କଷ୍ଟକର ହେବ। ଶୁଳ୍କ ବୃଦ୍ଧି ଖବର ପରେ ଜୁଏଲାରୀ କମ୍ପାନୀର ଶେୟାର ବଜାରରେ ୧୧% ପର୍ଯ୍ୟନ୍ତ ହ୍ରାସ ଘଟିଛି। ଅତୀତରେ ଯେତେବେଳେ ବି ଏକ୍ସାଇଜ୍ ଡ୍ୟୁଟି ବଢ଼ିଛି, ସୁନା ଚୋରା ଚାଲାଣ ବୃଦ୍ଧି ପାଇଛି। ଏହା ପୁଣିଥରେ ସରକାରଙ୍କ ପାଇଁ ଏକ ନୂଆ ଆହ୍ୱାନ ସୃଷ୍ଟି କରିପାରେ ।
ଅନ୍ୟପଟେ ଏହି ନିଷ୍ପତ୍ତି ଦ୍ୱାରା ଦେଶରୁ ବାହାରକୁ ଯାଉଥିବା ବିପୁଳ ପରିମାଣର ପୁଞ୍ଜି ରୋକାଯାଇ ପାରିବ। ଯାହା ଅର୍ଥନୀତିକୁ ସ୍ଥିରତା ଦେବାରେ ସାହାଯ୍ୟ କରିବ। ସୁନା ବ୍ୟତୀତ ପ୍ଲାଟିନମ୍ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି। ଯଦିଓ ଏହା ଏକ କଠୋର ପଦକ୍ଷେପ, ସରକାର ଦେଶର ବର୍ତ୍ତମାନର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ‘ଏମର୍ଜେନ୍ସି’ ବ୍ରେକ୍ ଲଗାଇଥିବା ଜଣାପଡ଼ୁଛି।

