ଭୁବନେଶ୍ଵର: ସୁନା ଓ ରୁପା ଦର ଆଜି ପୁଣି ଥରେ ଖସିଛି । ଦୁଇ ଧାତୁର ମୂଲ୍ୟ ଖସିବା ସହ ଆଜି ସେୟାର ବଜାରରେ ନିରାଶା ଦେଖିବାକୁ ମିଳିଛି । ଘରୋଇ ବଜାରରେ ଆଜି ୧୦ ଗ୍ରାମ ସୁନା ପ୍ରତି ଦର ୧ ଲକ୍ଷ ୪୯ ହଜାର ରହିଥିବା ବେଳେ କେଜି ପିଛା ରୂପା ମୂଲ୍ୟ ୨ ଲକ୍ଷ ୫୨ ହଜାର ୭୫୦ ଟଙ୍କା ରହିଛି ।
ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ବୁଧବାର କାରବାର ବନ୍ଦ ବେଳକୁ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧ ଲକ୍ଷ ୫୩ ହଜାର ୪୬ ଟଙ୍କା ରହିଥିଲା । ଗୁରୁବାର ଖବର ଲେଖା ହେବା ବେଳକୁ ୧୦ ଗ୍ରାମ ପ୍ରତି ସୁନା ଦର ୧ ଲକ୍ଷ ୪୯ ହଜାର ୮୨ ଟଙ୍କା ରହିଛି । ଗତମାସରେ ୧୦ ଗ୍ରାମ ସୁନା ମୂଲ୍ୟ ୧ ଲକ୍ଷ ୮୦ ହଜାର ୭୭୯ ଟଙ୍କା ଛୁଇଁଥିଲା ।
ଫିକା ପଡ଼ିଲା ରୁପା
ସେହିଭଳି ରୁପା ମଧ୍ୟ ଶସ୍ତା ହେବାକୁ ଲାଗିଛି । ଏମସିଏକ୍ସରେ ବୁଧବାର ରୁପା କାରବାର କେଜି ପିଛା ୨ ଲକ୍ଷ ୬୮ ହଜାର ୮୫୦ ଟଙ୍କାରେ ବନ୍ଦ ହୋଇଥିଲା । ଗୁରୁବାର ଖବର ଲେଖା ହେବା ବେଳକୁ ୨ ଲକ୍ଷ ୫୨ ହଜାର ୭୧୯କୁ ଖସି ଆସିଛି । ଗତମାସରେ ରୁପା କେଜି ପିଛା ସର୍ବୋଚ୍ଚ ସ୍ତର ୨ ଲକ୍ଷ ୨୦ ହଜାର ୪୮ ଟଙ୍କା ଛୁଇଁଥିଲା ।
ଅନ୍ତର୍ଜାତୀୟ ବଜାରର ସ୍ଥିତି
ବିଶ୍ଵ ବଜାରରେ ମଧ୍ୟ ସୁନା-ରୁପା ଦର ହଠାତ୍ ବଢ଼ିବା ସହ ପୁଣି ଖସିଛି । କମେକ୍ସରେ ସୁନା ଦର ପ୍ରତି ଆନ୍ସ ୧୦୨.୯୦ ଡଲାର ହ୍ରାସ ପାଇ ୮୭.୬୪ ରହିଛି । ସେହିଭଳି ରୁପା ଦର ମଧ୍ୟ ୧୦.୧୪ ଡଲାର ହ୍ରାସ ପାଇଁ ଏବେ ଆନ୍ସ ପ୍ରତି ୭୪.୨୫ ଡଲାର ରହିଛି ।
କ’ଣ କହୁଛନ୍ତି ବିଶେଷଜ୍ଞ ?
ବଜାର ବିଶେଷଜ୍ଞଙ୍କ ଅନୁସାରେ, ଚଳିତ ସପ୍ତାହରେ ଡଲାର ଇଣ୍ଡେକ୍ସ ସ୍ଥିର ନ ରହିବା, ଆମେରିକାରେ ଆଂଶିକ ସଟଡାଉନ୍ ଓ ଭୂ-ରାଜନୀତିକ ଉତ୍ତେଜନା କାରଣରୁ ସୁନା ଓ ରୁପା ଦର ଅସ୍ଥିର ରହିବ ।
ଭୁବନେଶ୍ଵରରେ ସୁନା ଦର କେତେ ?
ରାଜଧାନୀ ଭୁବନେଶ୍ଵରରେ ଆଜି ୨୪ କ୍ୟାରେଟ୍ ସୁନା ଦର ଗ୍ରାମ ପିଛା ୧୫ ହଜାର ୪୪୨ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୧୪ ହଜାର ୧୫୫ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ ସୁନାର ଦାମ ଗ୍ରାମ ପିଛା ୧୧ ହଜାର ୫୮୨ ଟଙ୍କା ରହିଛି ।
ଗୋଟିଏ ସପ୍ତାହର ଆକଳନ କଲେ ଭୁବନେଶ୍ଵରରେ ୨୨ କ୍ୟାରେଟ ସୁନା ଦର ଫେବ୍ରୁଆରୀ ୨ ତାରିଖରେ ସବୁଠୁ କମ୍ ରହିଥିଲା । ଫେବ୍ରୁଆରୀ ୨ରେ ୨୨ କ୍ୟାରେଟ୍ ସୁନା ଗ୍ରାମ ପିଛା ୧୩ ହଜାର ୮୯୦ ଟଙ୍କା ରହିଥିଲା ।

