ବଲାଙ୍ଗୀର ପୋଲିସକୁ ମିଳିଛି ବଡ଼ ସଫଳତା । ଇ-କମର୍ସ ପ୍ଲାଟଫର୍ମକୁ ଢାଲ କରି ଗଞ୍ଜେଇ ଚାଲାଣ କରୁଥିବା ଏକ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟକୁ ବଲାଙ୍ଗୀର ପୋଲିସ ଠାବ କରିଛି। ଏହି ଘଟଣାରେ ପୋଲିସ ଏକ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅନ୍ୟ ରାଜ୍ୟକୁ ଇ-କମର୍ସ ପାର୍ସଲ ଜରିଆରେ ଗଞ୍ଜେଇ ଚାଲାଣ କରୁଥିଲେ। ଚେକିଂ ବେଳେ ସନ୍ଦେହରୁ ବର୍ତ୍ତିବା ପାଇଁ ଅଭିଯୁକ୍ତମାନେ ଗଞ୍ଜେଇକୁ ଇ-କମର୍ସ ଡେଲିଭରି ବକ୍ସ ଏବଂ ଟେପ୍ ବ୍ୟବହାର କରି ବେଶ୍ ଚତୁରତାର ସହ ପ୍ୟାକିଂ କରୁଥିଲେ। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରି ଏହି ରାକେଟର ପର୍ଦ୍ଦାଫାଶ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରୁ କମ୍ ଦାମରେ ଗଞ୍ଜେଇ ସଂଗ୍ରହ କରୁଥିଲେ। ପରେ ଏହାକୁ ଅନ୍ଲାଇନ୍ ଅର୍ଡର ଭାବରେ ଦର୍ଶାଇ ରାଜ୍ୟ ବାହାରେ ଅଧିକ ଦାମରେ ବିକ୍ରି କରୁଥିଲେ। ପୋଲିସ ଏହି ଘଟଣାରେ ଏନଡିପିଏସ (NDPS) ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରିଛି।
ଏହି ନିଶା ବେପାରରେ କୌଣସି ଡେଲିଭରି ଏଜେଣ୍ଟ କିମ୍ବା କମ୍ପାନୀ କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ତଦନ୍ତ କରୁଛି। ନେଟୱାର୍କର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ପୋଲିସ ତରଫରୁ ଉଦ୍ୟମ ଜାରି ରହିଛି। ଏହା ସହିତ ଅଭିଯୁକ୍ତମାନଙ୍କର କଲ୍ ଡିଟେଲ୍ସ ଏବଂ ବ୍ୟାଙ୍କ କାରବାରର ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।
