ସଂଚାର ବ୍ୟୁରୋ: ନିଷ୍ଠୁର ଦଇବ । ଗୋଟିଏ ଦିନରେ ନେଇଗଲା ବାପା ପୁଅଙ୍କ ଜୀବନ । ସୁଦୁର ସୁରଟରୁ କାର୍ଯ୍ୟରତ ପୁଅ ଚିକିତ୍ସିତ ରୁଗଣ ବାପାଙ୍କୁ ଦେଖିବା ପାଇଁ ଆସୁଥିବା ବେଳେ ଟ୍ରେନରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଛି। ଏ ଖବର ଶୁଣି ବାପା ହସ୍ପିଟାଲ ବେଡ଼ରେ ହିଁ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁରଶାସନ ରେ ଘଟିଥିବା ଏହି ଘଟଣା ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଗୋଟିଏ ଦିନରେ ବାପା ଓ ପୁଅର ମୃତ୍ୟୁ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଗୋଟିଏ ପଟେ ବାପାଙ୍କ ଶବ ସତ୍କାର କରାଯାଇ ପିତା କାମ ଘର ଆଗରେ ଚାଲିଥିବା ବେଳେ ଦୁର୍ଘଟଣାରେ ମୃତ ପୁଅର ଶବ ଆଣିବାକୁ ବାହାରିଛନ୍ତି ଗ୍ରାମବାସୀ । ଆଉ ଏପଟେ ଏ ଦୃଶ୍ୟ ଦେଖନ୍ତୁ ଏକା ସାଙ୍ଗରେ ସ୍ଵାମୀ ଓ ପୁଅଙ୍କୁ ହରାଇ ଏକ ଫଟୋ ଧରି ଚିତ୍କାର କରି କାନ୍ଦୁଛନ୍ତି ବୃଦ୍ଧା ସୁଜନ । ଯାହାକୁ ଦେଖିଲେ କେହି ସମ୍ଭାଳିପାରିବେ ନାହିଁ । ସତରେ ଦଇବ ବଡ ନିଷ୍ଠୁର । ସ୍ଥିତି ଏବେ ଏପରି ହୋଇଛି କି ମୃତ ବାପା ପୁଅଙ୍କ ଶୁଦ୍ଧିକ୍ରିୟା କରିବାକୁ କେହି ନାହାଁନ୍ତି । ଏବେ ଅନାଥ ପରିବାକୁ ସହଯୋଗର ହାତ ବଢାଇଛନ୍ତି ସାହି ଭାଇ ଓ ସଂପର୍କୀୟ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗଙ୍ଗାପୁରଶାସନ ଗାଁରେ ଘଟିଥିବା ଏହି ହୃଦୟବିଦାରକ ଘଟଣା ପୂରା ଗାଁରେ ଶୋକ ଖେଳାଇଦେଇଛି । ଗଙ୍ଗାପୁର ଶାସନର ୭୦ ବର୍ଷୀୟ ଅଭିମନ୍ୟୁ ମୁନୀଙ୍କ ପୁଅ, ଝିଅ ଓ ସ୍ତ୍ରୀଙ୍କୁ ମିଶେଇ ୪ ପ୍ରାଣୀ କୁଟୁମ୍ବ ଥିଲେ । ବହୁ କଷ୍ଟରେ ଝିଅକୁ ବାହା କରିଥିଲେ ଅଭିମନ୍ଯୁ । କିନ୍ତୁ ରୋଗାଗ୍ରସ୍ତ କରାଣରୁ ଅଭିମନ୍ଯୁ ଆଉ ରୋଜଗାର କରିନପାରିବାରୁ ପୁଅ ପ୍ରଶାନ୍ତ ରୋଜଗାର ପାଇଁ ସୁରଟ ଯାଇଥିଲେ । ଏହାରି ଭିତରେ ଅଭିମନ୍ୟୁଙ୍କ ଦେହ ଭୀଷଣ ଖରାପ ହେବାରୁ ସେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ । ଖବର ପାଇ ପୁଅ ପ୍ରଶାନ୍ତ ବାପାଙ୍କୁ ଦେଖିବା ପାଇଁ ବ୍ରହ୍ମପୁର ଆସୁଥିବା ବେଳେ ବିଶାଖାପାଟଣା ନିକଟରେ ଟ୍ରେନରୁ ଖସିପଡି ଆରପାରିକୁ ଚାଲିଗଲେ । ଏ ଖବର ଶୁଣିବା ପରେ ବାପା ହସ୍ପିଟାଲ ବେଡ଼ରେ ହିଁ ପ୍ରାଣ ହରାଇବସିଲେ । ଗୋଟିଏ ଦିନରେ ଆଗ ପଛ ହୋଇ ବାପା ପୁଅଙ୍କ ମୃତ୍ଯୁ ପରେ ଗାଁ ଏବେ ସ୍ତବ୍ଧ ପାଲଟିଯାଇଛି ।