ସଂଚାର ବ୍ୟୁରୋ: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରେସମିଟ୍ । ଅଦିନିଆ ରଥଯାତ୍ରାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗଜପତି ମହାରାଜ। ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଛନ୍ତି, ଭାରତ ବାହାରେ ବିଶ୍ବରେ ଏକାଧିକ ସ୍ଥାନରେ ରଥଯାତ୍ରା ଆୟୋଜିତ ହେଉଛି । ଚଳିତବର୍ଷ ଏପର୍ଯ୍ୟନ୍ତ ୬୮ଟି ସ୍ଥାନରେ ଅଦିନିଆ ରଥଯାତ୍ରା ପାଳନ ସରିଛି । ଇସ୍କନ ପାଖକୁ ପ୍ରାୟ ୧୦୦ ପୃଷ୍ଠାର ଦସ୍ତାବିଜ ପଠାଯାଇଛି । ପ୍ରାୟ ୫୦ ବର୍ଷ ହେଲା ବଡ଼ ଭୁଲ ହୋଇ ସାରିଛି । ଏପରି ନ କରିବା ପାଇଁ ଇସ୍କନ ସହ ବାରମ୍ବାର କଥାବାର୍ତ୍ତା କରିଛୁ । ବର୍ତ୍ତମାନ ସେମାନେ ଭାରତ ଭିତରେ ପରମ୍ପରା ମାନୁଛନ୍ତି । ମାତ୍ର ବିଦେଶରେ ସେମାନେ ପରମ୍ପରା ମାନୁ ନାହାନ୍ତି ବୋଲି ଗଜପତି ମହାରାଜ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, କେବଳ ରଥଯାତ୍ରା ନୁହେଁ, ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି । ଭାରତ ଭିତରେ ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି । ଆଜି ମାୟାପୁରୀକୁ ଏନେଇ ବିସ୍ତୃତ ଭାବେ ଜଣାଇ ଦିଆଯାଇଛି । ମାୟାପୁରୀରୁ ଏନେଇ କ’ଣ ଜବାବ ଆସୁଛି ଅପେକ୍ଷା ରହିଛି । ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ପାଳନ ପାଇଁ ମହାପ୍ରଭୁ ନିଜେ କହିଛନ୍ତି । ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ପାଇଁ ମହାପ୍ରଭୁ ନିଜେ କହିଛନ୍ତି । ଚତୁର୍ଦ୍ଧା ମୁରତି ଚଳନ୍ତି ପ୍ରତିମା ନୁହଁନ୍ତି, ମଦନମୋହନ ହେଉଛନ୍ତି ଚଳନ୍ତି ପ୍ରତିମା । ଚତୁର୍ଦ୍ଧା ମୁରତି ଚଳନ୍ତି ପ୍ରତିମା ବୋଲି ଯେଉଁମାନେ ଭାବୁଛନ୍ତି, ଠିକ୍ ନୁହେଁ । କୌଣସି ପରିସ୍ଥିତିରେ ତିଥିକୁ ପରିବର୍ତ୍ତନ କରିପାରିବେ ନାହିଁ । ଜନ୍ମାଷ୍ଟମୀ କ’ଣ ମନ ଇଛା କରିପାରିବେ କି ବୋଲି ପଚାରିଲେ ଗଜପତି ମହାରାଜ ।
ସେହିପରି ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ପରମ୍ପରା ଭଙ୍ଗ କରି ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା କରାଯାଉଛି। ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ନୁହେଁ। ଏନେଇ ଇସ୍କନ ମାୟାପୁରୀର ଶାସ୍ତ୍ର ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି । କେବଳ ଧାର୍ଯ୍ୟ ତିଥି ଅନୁସାରେ ସବୁ କିଛି ହେବା କଥା ସହମତି ହୋଇଛି । ଏହା ମଧ୍ୟ ଗତ ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି । ଏସମ୍ପର୍କିତ ନିଷ୍ପତ୍ତି ଇସ୍କନ କର୍ତ୍ତୃପକ୍ଷଙ୍କ ନିକଟକୁ ଇ-ମେଲ୍/କୋରିଅରରେ ଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।