ବିଧାନସଭା ପ୍ରେସ ଗ୍ୟାଲେରୀରେ ସାମ୍ଵାଦିକଙ୍କ ମୋବାଇଲ ବ୍ୟବହାର ଉପରେ କଟକଣାକୁ ନେଇ ଆଜି ସୃଷ୍ଟି ହୋଇଥିଲା ଅପ୍ରୀତିକର ସ୍ଥିତି । ଉଭୟ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧିମାନେ ଏହାର ପ୍ରତିବାଦ କରି ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଧାନସଭା ସଚିବାଳୟ ପକ୍ଷରୁ ଲାଗୁ ହୋଇଥିବା ଏହି କଟକଣାକୁ ବିରୋଧ କରି ଆଜି ସାମ୍ବାଦିକମାନେ ବିଧାନସଭାର ପ୍ରଥମାର୍ଦ୍ଧ କାର୍ଯ୍ୟକ୍ରମକୁ ବୟକଟ କରିଥିଲେ । ଗ୍ୟାଲେରୀକୁ ନଯାଇ ସାମ୍ବାଦିକମାନେ ଧାରଣା ଦେଇଥିଲେ। ଧାରଣାରତ ସାମ୍ବାଦିକଙ୍କୁ ସମର୍ଥନ ଜଣାଇ ଆଲୋଚନାକୁ ଆସିଥିଲେ ବିଜେଡି ବିଧାୟକ ଅରୁଣ ସାହୁ ଓ ଅନ୍ୟ ବିଧାୟକମାନେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ କଟକଣା ପାଇଁ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ l ବିଧାୟକ ଅରୁଣ ସାହୁ ଆକ୍ଷେପ କରିଥିଲେ ଯେ, ସରକାର କେଉଁ କଥାକୁ ଘୋଡାଇବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଟିକିନିଖି ଖବର ଦେବାର ଅଧିକାର ସାମ୍ବାଦିକଙ୍କ ଅଛି। ସେହିପରି କଂଗ୍ରେସ ମଧ୍ୟ ସାମ୍ଵାଦିକଙ୍କୁ ସମର୍ଥନ କରିଛି। ପିସିସି ସଭାପତି ଭକ୍ତ ଦାସଙ୍କ ନିର୍ଦ୍ଦେଶରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଳଭଦ୍ର ମାଝୀ ସାମ୍ବାଦିକଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ଧାରଣାରତ ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ ଅସୁସ୍ଥ ହେବାରୁ ସରକାର ବିରୋଧରେ ସାମ୍ବାଦିକମାନେ ସ୍ଵର ଅଧିକ ଶାଣିତ କରିଥିଲେ l ଶେଷରେ ବାଚସ୍ପତି ଧାରଣାରତ ସାମ୍ବାଦିକମାନଙ୍କ ସହ ଆଲୋଚନା କରି କଟକଣା ଉଠାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ l ବାଚସ୍ପତିଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଧାରଣାରତ ସାମ୍ବାଦିକଙ୍କୁ ଭେଟିଥିଲେ । ବିଧାନସଭା ନିୟମ ଅନୁସାରେ ଖବର ସଂଗ୍ରହ କରିବାକୁ ଅପିଲ କରିଥିଲେ ସୂର୍ଯ୍ୟବଂଶୀ ସୂରଜ l ଏହାସହ ବିଧାନସଭା ପକ୍ଷରୁ ସାମ୍ବାଦିକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି l