ଛାନିଆ ହୋଇ ଲୋକେ ପମ୍ପକୁ ଧାଇଁଥିଲେ । ଗତ ୩ ଦିନ ଧରି ରାଜଧାନୀର ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଧାଡ଼ି ବାନ୍ଧିଥିଲେ । ଆଗରୁ ଏଭଳି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା । ହେଲେ ରବିବାର ସକାଳୁ ଚିତ୍ର ବଦଳି ଯାଇଥିଲା । ସବୁ ପମ୍ପ ଥିଲା ଖାଁ ଖାଁ । ରସୁଲଗଡ଼ ପମ୍ପକୁ କ୍ୱଚିତ୍ ଲୋକେ ତେଲ ପକାଇବାକୁ ଆସିଥିଲେ । ସକାଳୁ କଟକ ଆଡକୁ ଯାଉଥିବା ଅଳ୍ପ କିଛି ବାଇକ୍ ଓ କାର ଚାଳକ ତେଲ ପକାଉଥିଲେ । ମଧ୍ୟାହ୍ନ ପରଠୁ କର୍ମଚାରୀମାନେ ବସି ନିଜ ଭିତରେ ଗପସପ କରୁଥିଲେ।
ୟୁନିଟ୍-୨ ପମ୍ପରେ ବି କିଛି ହାତଗଣତି ଗାଡି଼ଚାଳକ ତେଲ ପକାଇଥିଲେ । ନୂଆପଲ୍ଲୀ ଭମରା, ବରମୁଣ୍ଡା ରମାମଣି ଭଳି ବ୍ୟସ୍ତବହୁଳ ପେଟ୍ରୋଲ ପମ୍ପରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଏଭଳି ସ୍ଥିତି ଆସନ୍ତା ସପ୍ତାହେ ଯାଏ ରହିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି । ଲୋକେ ଗତ ୩ ଦିନରେ ୭ ଦିନର ତେଲ କିଣି ସାରିଛନ୍ତି । ଏଣୁ ଆଗକୁ କଟକ-ଭୁବନେଶ୍ୱରର ସବୁ ପେଟ୍ରୋଲ ପମ୍ପ ଫାଙ୍କା ରହିବ ।
ଯୋଗାଣ ବିଭାଗ ତଥ୍ୟ ମୁତାବକ, ଗତ ୧୫ ତାରିଖ ସକାଳ ୧୦ଟା ସୁଦ୍ଧା ରାଜଧାନୀର ୪୨ଟି ପମ୍ପରେ ୬ ଲକ୍ଷ ୨ ହଜାର ୧୧୦ ଲିଟର ପେଟ୍ରୋଲ ମହଜୁଦ ଥିଲା । ଯାହାକି, ଅନ୍ୟ ଦିନଗୁଡି଼କ ତୁଳନାରେ ବେଶ୍ କମ । ଡିଜେଲ ଷ୍ଟକ୍ ମାତ୍ରା ମଧ୍ୟ ଢ଼େର କମିଯାଇଥିଲା । ସବୁ ପମ୍ପକୁ ମିଶାଇଲେ, ମୋଟ ୫ ଲକ୍ଷ ୭୯ ହଜାର ୫୯୩ ଲିଟର ଡିଜେଲ ବିକ୍ରି ପାଇଁ ମହଜୁଦ ଥିଲା ।
କାହିଁକି ନା, ଇନ୍ଧନ ସଙ୍କଟ ଆଶଙ୍କାରେ ଦିନରାତି ଏକ କରିଦେଇଥିଲେ ରାଜଧାନୀବାସୀ । ତା’ ପୂର୍ବଦିନ ଧୁ ଧୁ ଖରାରେ ସନ୍ତୁଳି ହେଲେ ପଛେ ପଛଘୁଞ୍ଚା ଦେଲେନି । ସତେ ଯେମିତି ଯୁଦ୍ଧକ୍ଷେତ୍ରକୁ ଯାଇଛନ୍ତି ମାନେ ଗଡ଼ ଜିତିକି ଫେରିବେ । ଗାଡ଼ି ଟାଙ୍କି ଫୁଲ୍ କରିବାକୁ ଦିନରେ ନୁହେଁ, ସେତେବେଳେ ରାତି ତମାମ କସରତ ଚାଲିଥିଲା ।
ଗତ ୧୬ ତାରିଖରେ ସଙ୍କଟ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ପେଟ୍ରୋଲ, ଡିଜେଲର ବିକ୍ରି ଆପାତତଃ କମିଥିଲା । ସେଦିନ ସକାଳ ୧୦ଟା ସୁଦ୍ଧା ରାଜଧାନୀର ପମ୍ପଗୁଡି଼କରେ ଷ୍ଟକ୍ର ମାତ୍ରା ପୂର୍ବ ଅପେକ୍ଷା ଅଧିକ ଥିଲା । ମୋଟ ୬ ଲକ୍ଷ ୧୪ ହଜାର ୭୧୬ ଲିଟର ପେଟ୍ରୋଲ ୫ ଲକ୍ଷ ୮୪ ହଜାର ୪୫୯ ଲିଟର ଡିଜେଲ ମହଜୁଦ ଥିଲା ।
ରବିବାର ସକାଳ ୧୦ଟା ସୁଦ୍ଧା ମୋଟ ୮ ଲକ୍ଷ ୬୨ ହଜାର ୨୪୨ ଲିଟର ପେଟ୍ରୋଲ ମହଜୁଦ ଥିଲା । ବିଭିନ୍ନ ପମ୍ପରେ ଡିଜେଲର ମାତ୍ରା ମଧ୍ୟ ବଢ଼ି ୬ ଲକ୍ଷ ୬୫ ହଜାର ୪୮୨ ଲିଟର ପହଞ୍ଚି ଥିଲା । ସକାଳୁ ବିଭିନ୍ନ ପମ୍ପର ଚିତ୍ର ପୁରା ଓଲଟା । ନା ଲମ୍ବୁଛି ଗାଡି଼ର ଲାଇନ୍ ନା ଲାଗୁଛି ଗାଡି଼ଚାଳକଙ୍କ ଭିଡ଼ । ସକାଳୁ ରାତି ଯାଏଁ ଅଧିକାଂଶ ପମ୍ପରେ ଖାଁ ଖାଁ ସ୍ଥିତି । ସଙ୍କଟ ବେଳେ ଫୁରସତ ମିଳୁନଥିବା ପମ୍ପ କର୍ମଚାରୀ ଏବେ ଫାଙ୍କାରେ ସମୟ ବିତାଉଛନ୍ତି ।
