ଲଗାଣ ବର୍ଷା ଯୋଗୁ ଫୁଲୁଛି ବୈତରଣୀ । ନଦୀର ଉପରମୁଣ୍ଡ ଚମ୍ପୁଆରେ ଗତ ୨୪ ଘଣ୍ଟାରେ ୧୯୨ ମିଳିମିଟର ବର୍ଷା ହୋଇଥିବା ବେଳେ ଆନନ୍ଦପୁର ଠାରେ ବୈତରଣୀ ନଦୀ ବିପଦ ସଂକେତ ପାର କରିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିବାରୁ ଆନନ୍ଦପୁର ଉପଖଣ୍ଡର ହାଟଡିହି, ଆନନ୍ଦପୁର ସମେତ ଘସିପୁରା ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଆନନ୍ଦପୁର ରିଙ୍ଗ ରୋଡରେ ସୃଷ୍ଟି ହୋଇଥିବା ଘାଇରେ ବନ୍ୟା ପାଣି ପଶିବା ପରେ ପ୍ରଭାବିତ ହୋଇଛନ୍ତି ଲୋକେ।
ସେହିଭଳି ଆନନ୍ଦପୁର ପୌରପରିଷଦ ର ୧୩ ନମ୍ବର ୱାର୍ଡ ର ସାଉଁନ୍ତି ସାହି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬୦ ମିଟର ଥିବା ବେଳେ ନଦୀ ୪୦.୨୫୦ ମିଟର ରେ ପ୍ରବାହିତ ହେଉଛି। ଅନ୍ୟପଟେ ଖପରାଖାଇ- ପଞ୍ଚପୁଲି ରାସ୍ତାର ଟୁକୁଣା ନିକଟରେ ଥିବା ବିପଦ ସଂକୁଳ ସ୍ବିସ ଗେଟକୁ ନେଇ ରାସ୍ତାରେ ବାଲିବସ୍ତା ପକାଇ ଯାତାୟାତ ବନ୍ଦ କରିଦିଆଯାଇଛି।

