ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଭେନେଜୁଏଲାରେ ପୁଣି ଥରେ ହିଂସା ଦେଖାଦେଇଛି । ପୁଣି ଗୁଳିବର୍ଷାରେ ଥରି ଉଠିଛି ଭେନେଜୁଏଲା । ଭେନେଜୁଏଲାର ରାଷ୍ଟ୍ରପତି ଭବନ ‘ମିରାଫ୍ଲୋରେସ୍ ପ୍ୟାଲେସ୍’ ନିକଟରେ ପ୍ରବଳ ଗୁଳି ବିନିମୟ ହୋଇଛି । ଅଜଣା ଡ୍ରୋନ୍ ଭବନ ଉପରେ ଉଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆତଙ୍କ ଖେଳିଯାଇଛି । ଏହାକୁ ଦେଇ ତୁରନ୍ତ ସୁରକ୍ଷା ବାହିନୀ ପାଲଟା ଫାୟାରିଂ କରିଥିଲେ । ଏହି ହମଲା ପୂର୍ବ ରାଷ୍ଟ୍ରପତି ମାଦୁରୋଙ୍କୁ ଗିରଫ ଓ ଡେଲ୍ସି ରୋଡ୍ରିଗ୍ସ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେବାର କିଛି ସମୟ ପରେ ହୋଇଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଅନେକ ଭିଡ଼ିଓ କ୍ଲିପରେ ପ୍ରବଳ ଗୁଳି ଫୁଟିବାର ଶବ୍ଦ ଏବଂ ଆକାଶରେ ଟ୍ରେସର ଫାୟାରର ଚିତ୍ର ଦେଖାଯାଇଥିଲା । ସ୍ଥାନୀୟ ସମୟ ଅନୁସାରେ ସୋମବାର ରାତି ପ୍ରାୟ ୮ଟାରେ ଏହି ଆଟାକ୍ ହୋଇଛି ଯେଉଁଥିରେ ଅଞ୍ଚଳରେ ଆତଙ୍କ ଖେଳାଯାଇଛି । ଏବେ ପ୍ରଶ୍ନ ପୁଣି ଭେନେଜୁଏଲା ଉପରେ କିଏ କଲା ଆକ୍ରମଣ ?
ହ୍ୱାଇଟ୍ ହାଉସ୍ ବିବୃତ୍ତି- ଭେନେଜୁଏଲାର ରାଷ୍ଟ୍ରପତି ବାସଭବନ ମିରାଫ୍ଲୋରେସ୍ ପ୍ୟାଲେସ୍ ନିକଟରେ ହୋଇଥିବା ଗୁଳିକାଣ୍ଡ ସମ୍ପର୍କରେ ହ୍ୱାଇଟ୍ ହାଉସ୍ ଏକ ବିବୃତ୍ତି ଜାରି କରିଛି । ଏହି ଗୁଳିକାଣ୍ଡରେ ଆମେରିକାର କୌଣସି ସମ୍ପୃକ୍ତି ନାହିଁ। ହ୍ୱାଇଟ୍ ହାଉସ୍ ର ଜଣେ ଅଧିକାରୀ ସିଏନଏନକୁ କହିଛନ୍ତି ଯେ, ସେମାନେ ଭେନେଜୁଏଲାର ଗୁଳିକାଣ୍ଡର ରିପୋର୍ଟ ଉପରେ କଡ଼ା ନଜର ରଖିଛନ୍ତି ।
‘ମୁଁ ଭଦ୍ର ବ୍ୟକ୍ତି, ନିର୍ଦ୍ଦୋଷ’- ଆମେରିକାର ଆକ୍ରମଣ ପରେ ଭେନେଜୁଏଲାର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ଆମେରିକା ନିୟନ୍ତ୍ରଣ କରିବ ନା ଜନତାଙ୍କ ନିର୍ବାଚିତ ସରକାର ଜାରି ରହିବ, ତାହା ନେଇ ସ୍ଥିତି ଅସ୍ପଷ୍ଟ । ଏଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତି ମଧ୍ୟରେ ସୋମବାର ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ପତ୍ନୀ ସିଲିୟା ଫ୍ଲୋରେସଙ୍କୁ କୋର୍ଟକୁ ନିଆଯାଇଥିଲା । କୋର୍ଟରେ ହାଜର ହୋଇ ମାଦୁରୋ କହିଛନ୍ତି, ”ମୁଁ ନିର୍ଦ୍ଦୋଷ, ମୁଁ ଜଣେ ଭଦ୍ର ଲୋକ । ଏବେ ବି ଭେନେଜୁଏଲାର ରାଷ୍ଟ୍ରପତି । ମୋତେ ଅପହରଣ କରାଯାଇଛି । ମୋତେ ଜୋର ଜବରଦସ୍ତ ଗିରଫ କରାଯାଇଛି । ମୋ ବିରୋଧରେ ଆମେରିକା ଆଣିଥିବା ତମାମ ଅଭିଯୋଗ ଭିତ୍ତିହୀନ । ମୋତେ ମୁକ୍ତ କରାଯାଉ ।” ଏହା ପୂର୍ବରୁ କଡ଼ା ସୁରକ୍ଷା ବଳୟରେ ମାଦୁରୋ ଓ ପତ୍ନୀଙ୍କୁ ହାତକଡ଼ି ପିନ୍ଧାଇ ବ୍ରୁକ୍ଲିନ୍ସ୍ଥିତ ମେଟ୍ରୋପଲିଟାନ ଡିଟେନସନ ସେଣ୍ଟରରୁ ଫେଡେରାଲ କୋର୍ଟ ନିଆଯାଇଥିଲା । ସେମାନଙ୍କ ବିରୋଧରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଅଭିଯୋଗ ରହିଛ ।ଆମେରିକା ହମ୍ଲାରେ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି ହୋଇଛି । ନ୍ୟୁୟର୍କରେ ୟୁଏନ୍ଏସ୍ସିର ଜରୁରି ବୈଠକ ହୋଇଛି । ମାଦୁରୋଙ୍କ ମୁକ୍ତି ପାଇଁ ରୁଷ୍ ଓ ଚୀନ୍ର ଦାବି କରିଛନ୍ତି ।

