ସଂଚାର ବ୍ୟୁରୋ: ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରାଯାଇଛି। ଘଟଣା ପରେ ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।
ଗୁଳିକାଣ୍ଡ ସମୟରେ ଘରେ କେବଳ ଏଲଭିଶଙ୍କ ମାଆ ଏବଂ କେୟାରଟେକର ଉପସ୍ଥିତ ଥିଲେ। ଏଲଭିଶ ବର୍ତ୍ତମାନ ବିଦେଶରେ ଅଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ। ତଥାପି, ଏହି ଘଟଣା ଏଲଭିଶଙ୍କ ପରିବାରକୁ ଭୟଭୀତ କରିଛି। ପୁଲିସ ମାମଲା ନେଇ କୌଣସି ବିବୃତ୍ତି ଜାରି କରିନାହିଁ କିମ୍ବା ଏଲଭିଶ କିମ୍ବା ତାଙ୍କ ପରିବାର ପକ୍ଷରୁ ମଧ୍ୟ କିଛି କୁହାଯାଇନାହିଁ।
ଗୁରୁଗ୍ରାମ ପୁଲିସ ପିଆରଓ ସନ୍ଦୀପ କୁମାର କହିଛନ୍ତି ଯେ, ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏଲଭିଶ ଯାଦବଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ଘଟଣାଟି ସକାଳ ପ୍ରାୟ ସାଢ଼େ ୫ଟାରେ ଘଟିଥିଲା। ଏଥିରେ ଏକ ଡଜନରୁ ଅଧିକ ଗୁଳି ଚାଳନା କରାଯାଇଥିଲା।