ହସ୍ପିଟାଲ୍ରେ ଅଗ୍ନିକାଣ୍ଡ, ୮ ଜଣଙ୍କ ମୃତ୍ୟୁ । ଏବେ ସଂକଟାପନ୍ନ ରହିଛି ୫ ଜଣଙ୍କ ଅବସ୍ଥା । ରାଜସ୍ଥାନର ସବୁଠାରୁ ବଡ଼ ସରକାରୀ ମେଡିକାଲ ସୱାଇ ମାନ ସିଂହ ହସ୍ପିଟାଲ୍ର ଟ୍ରମା ସେଣ୍ଟରରେ ରବିବାର ରାତି ୧୧ଟାରେ ନିଆଁ ଲାଗିଥିଲା ।
ଟ୍ରମା ସେଣ୍ଟରର ଦ୍ଵିତୀୟ ମହଲାରେ ଥିବା ଆଇସିୟୁ ୱାର୍ଡରେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ବେଳେ ୱାର୍ଡରେ ଅନେକ ରୋଗୀ ଥିଲେ । ନିଆଁ ଲାଗିବା ପରେ ହସ୍ପିଟାଲ୍ ପରିସରରେ ଆତଙ୍କ ଖେଳି ଯାଇଥିଲା । ଆଉ ରୋଗୀଙ୍କୁ ତୁରନ୍ତ ବାହାର କରା ଯାଇଥିଲା ।
ସମଗ୍ର ଅଞ୍ଚଳ ନିଆଁ ଓ ଧୂଆଁମୟ ହୋଇ ଯାଇଥିବା ବେଳେ ICUରୁ ବାହାର କରି ରୋଗୀଙ୍କୁ ଦୀର୍ଘ ସମୟ ଧରି ରାସ୍ତା ଉପରେ ରଖିବାକୁ ପଡ଼ିଥିଲା । ଆଉ ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି ।
ପ୍ରାଥମିକ ସୂଚନା ଅନୁସାରେ, କୌଣସି ବୈଦ୍ୟୁତିକ ଉପକରଣରେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା । ତେବେ ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ । ଅଗ୍ନିକାଣ୍ଡ ପରେ ମେଡିକାଲ୍ର ଅଗ୍ନି ପ୍ରତିରୋଧକ ବ୍ୟବସ୍ଥାର ସମୀକ୍ଷା ଆରମ୍ଭ ହୋଇଛି । ନିଆଁ କେମିତି ଲାଗିଲା ତାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି ।
ନିଆଁ ନେଇ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଯୋଗେନ୍ଦ୍ର ସିଂହ କହିଛନ୍ତି, “ହସ୍ପିଟାଲ୍ କର୍ମଚାରୀଙ୍କ ଅବହେଳାରୁ ଏହି ନିଆଁ ଲାଗିଛି । ମୋ ମା’ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ନିଆଁ ଲାଗିବା ନେଇ ଯେତେବେଳେ ସାଇରନ୍ ବାଜିଲା ତ ମୁଁ ଡାକ୍ତରଙ୍କୁ ଜଣାଇଥିଲି । କିନ୍ତୁ କେହି ଶୁଣି ନଥିଲେ, ଆଉ ଅଚାନକ ଧୂଆଁ ବ୍ୟାପିବାରୁ ସମସ୍ତ କର୍ମଚାରୀ ବାହାରକୁ ପଳାଇଥିଲେ ।”

