ସଂଚାର ବ୍ୟୁରୋ: ବିଦ୍ୟାଳୟକୁ ବିଦ୍ୟାଳୟ ଘୁରି ବୁଲୁଛି ଫେକ୍ ସାର୍ଟିଫିକେଟ୍ । ଏ ନେଇ ଟେନସନରେ ସ୍କୁଲ୍ ପ୍ରଧାନ ଶିକ୍ଷକ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ କୁର୍ତ୍ତମଗଡ଼ ପଞ୍ଚାୟତର ପିଡ଼ାମାହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ତେବେ କିଏ ଏହି ଫେକ୍ ସାର୍ଟିଫିକେଟ୍ ଦେଉଛି ସେନେଇ ତନାଘନା ଚଳାଇଛନ୍ତି ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଅଞ୍ଚଳର ବିଭିନ୍ନ ସ୍କୁଲରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ପହଁଚିଥିଲେ । ତେବେ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିବା ପରେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ସାର୍ଟିଫିକେଟ ମିଳିଥିବା ପିଡାମାହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିବା ପରେ ଘଟଣା ପଦାକୁ ଆସିଥିଲା । ଏହାପରେ ପିଡ଼ାମାହା ସ୍କୁଲ୍ ପ୍ରଧାନ ଶିକ୍ଷକ ଦଶରଥ ମାଝୀ ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦୀପ ଗଡ଼ତିୟାଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହା ପରେ ଘଟଣାର ତଦନ୍ତ କରାଯାଉଥିବା ବେଳେ ସତ୍ୟାସତ୍ୟ ଜଣାପଡ଼ିବା ପରେ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦୀପ ଗଡ଼ତିୟା ।