ସଂଚାର ବ୍ୟୁରୋ: ଆରମ୍ଭ ହୋଇଯାଇଛି ଦଶହରା ପର୍ବ । ଦିନ ବଢିବା ସହ ବଢୁଛି ଲୋକଙ୍କ ଭିଡ଼ । ତେବେ ପାର୍ବଣ ସମୟରେ ଭିଡ଼ ନିୟନ୍ତ୍ରଣ ପୋଲିସ୍ ପାଇଁ କାଠିକର ପାଠ ହୋଇପଡ଼ିଛି । ବିଶେଷ କରି ପୂଜା ସମୟରେ ରାଜଧାନୀରେ ଟ୍ରାଫିକ ଚିନ୍ତା ବେଶ୍ ବଢ଼ିଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୂଜା କମିଟି ମାନଙ୍କ ପକ୍ଷରୁ ବଡ଼ ପ୍ରସ୍ତୁତି କରାଯାଇଛି । ପୂଜା ସମୟରେ ଯାତାୟାତ ପାଇଁ ପୋଲିସର ରୁଟ୍ ଚାଟ୍ ସହ ଭକ୍ତଙ୍କ ଗାଡ଼ି ପାର୍କିଂକୁ ଗୁରୁତ୍ଵ ଦେଇଛି ।
ଯଦି ଦେଖିବା ଭୁବନେଶ୍ବର ଝାରପଡ଼ାରେ ଦୁଇଟି ପୂଜା କମିଟି ପାଖରୁ ଆୟୋଜିତ ହୋଇଛି ଦୁର୍ଗାପୂଜା । ଝାରପଡ଼ା ପୂଜା ମଣ୍ଡପକୁ ରହିଛି ୫ଟି କନେକ୍ଟଭିଟି ରାସ୍ତା । ଜେଲରୋଡ୍, ପାଳଶୁଣିରୁ ପୁଜା ମଣ୍ଡପ ଏବଂ ପୂଜା ମଣ୍ଡପକୁ ସଂଯୋଗ କରୁଥିବା ୨ଟି କେନାଲ ରୋଡ୍, ଲକ୍ଷ୍ମୀସାଗର ରୋଡ୍ । ଏହି ସମସ୍ତ ରାସ୍ତାରେ ଆସିଲେ ପୂଜା ମଣ୍ଡପ ପୂର୍ବରୁ କରାଯାଇଛି ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା । ବାଇକ୍, କାର ଏବଂ VIP ଓ VVIP ମାନଙ୍କ ଗାଡ଼ି ପାର୍କିଂ ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା ।
ସେହିପରି ରସୁଲଗଡ଼ ପୂଜା ମଣ୍ଡପକୁ ୪ଟି ସଂଯୋଗ ପଥ ରହିଛି । ବାଣୀବିହାରରୁ ରସୁଲଗଡ଼, ପଳାଶୁଣିରୁ ରସୁଲଗଡ଼, ମଞ୍ଚେଶ୍ୱରରୁ ରସୁଲଗଡ଼, ଲକ୍ଷ୍ମୀସାଗରରୁ ରସୁଲଗଡ଼ । ସମସ୍ତ ପାର୍ଶ୍ଵରୁ ଆସୁଥିବା ଗାଡ଼ି ଗୁଡ଼ିକୁ ରାସ୍ତାର ଏକ ପାଖରେ ସାଇଟ୍ କରି ପାର୍କିଂ କରାଯାଉଛି ।
ସେହିପରି ନୟାପଲ୍ଲୀ ପୂଜା ମଣ୍ଡପକୁ ୫ଟି ଲାଇନରେ ଆସୁଥିବା ଗାଡି ମୋଟର ଗୁଡ଼ିକୁ ନୟାପଲ୍ଲୀ ରାବଣ ପୋଡ଼ି ଗ୍ରାଉଣ୍ଡରେ ପାର୍କିଂ କରାଯାଉଛି । ବରମୁଣ୍ଡା ଦୁର୍ଗାପୂଜାକୁ ଆସୁଥିବା ଭକ୍ତମାନେ ବରମୁଣ୍ଡା ପଡିଆରେ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ସହିଦ ନଗରକୁ ଆସୁଥିବା ସମସ୍ତ ଗାଡିକୁ ରାସ୍ତାର ଉଭୟ ପାର୍ଶ୍ଵରେ ପାର୍କିଂ କରାଯିବା ସହ ମଣ୍ଡପ ପଛରେ ଥିବା BMC ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
ସେହିପରି ଚଳିତ ଥର ରାଜଧାନୀରେ ରାବଣ ପୋଡ଼ି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏବର୍ଷ ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ହେବ । ଭୁବନେଶ୍ବରର ନହରକଣ୍ଟା, ବରମୁଣ୍ଡା, ବଡ଼ଗଡ଼, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟସ୍ ରୋଡ୍ ଓ କପିଳପ୍ରସାଦ ଫୁଟବଲ ପଡ଼ିଆରେ ରାବଣ ପୋଡ଼ି ଅନୁଷ୍ଠିତ ହେବ । ସେପଟେ ଚଳିତ ଥର ଭବନେଶ୍ବରରେ ୧୯୩ ଟି ପୂଜା ମଣ୍ଡପରେ ଭିଡ଼ ନିୟନ୍ତ୍ରଣ କରିବେ ୬୧ ପ୍ଲାଟୁନ ଫୋର୍ସ । ଡ୍ରୋନ୍ ଦ୍ବାରା ସହରର ଭିଡ଼ ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି ।