ସଂଚାର ବ୍ୟୁରୋ: ଓଡ଼ିଶାରେ ଥିବା ଗରିବ ଶ୍ରେଣୀରୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଜୀବନରେ ଅଭୁତପୂର୍ବ ପରିବର୍ତ୍ତନ ଆଣିବା ଆମର ଡବଲ ଇଞ୍ଜିନ ସରକାରର ମୂଳ ଉଦ୍ଦେଶ୍ୟ ବୋଲି ଆଜି କୃଷିପ୍ରଧାନ ଅଞ୍ଚଳ ବରଗଡରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଯୋଗଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଏହାର ବିସ୍ତୁତ ସୂଚନା ଉପରେ ଆଲୋକପାତ କରି ସେ କହିଛନ୍ତି ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ରବି ଏବଂ ଖରିଫ ଋତୁକୁ ମିଶାଇଲେ ପ୍ରାୟ ୧୩୭ ଲକ୍ଷ କ୍ୱିଣ୍ଟାଲ ଧାନ ସରକାରଙ୍କ ପକ୍ଷରୁ କିଣାଯାଇଛି। ଡବଲ ଇଞ୍ଜିନ ସରକାର ଏଥିପାଇଁ ପାଖାପାଖି ୪୦୦୦ କୋଟିରୁ ଅଧିକ ଟଙ୍କା ଜିଲ୍ଲାର ଚାଷୀମାନଙ୍କୁ ଦେଇଛନ୍ତି। ଜିଲ୍ଲାରେ ୩ ଲକ୍ଷ ୫୬ ହଜାର ଭଉଣୀମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଅର୍ଥାତ୍ ୩୫ କୋଟି ଟଙ୍କାର ସୁଭଦ୍ରା ସହାୟତା ଦିଆଯାଇଛି। ପିଏମ କିଷାନ ଓ ସିଏମ କିଷାନ ଯୋଜନାରେ ପ୍ରାୟ ୩୪ କୋଟି ଟଙ୍କା ଦିଆଯାଇଛି। ବରଗଡ଼ ଧନୁଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଅନ୍ତୋଦୋୟ ଯୋଜନାରେ ୧୬୦୦ ଘର ଜିଲ୍ଲା ପାଇଁ ଦିଆଯାଇଛି। ୬୦ ହଜାରରୁ ଅଧିକ ଲକ୍ଷପତି ଦିଦି, ୧୨ ଲକ୍ଷ ଆୟୁଷ୍ମାନ ଭାରତ କାର୍ଡ ଜିଲ୍ଲାକୁ ଦିଆଯାଇଛି। ସହିଦ ମାଧୋ ସିଂହଙ୍କ ନାଁରେ ୪,୬୧୯ ଜଣ ପିଲାଙ୍କୁ ଛାତ୍ରବୃତ୍ତି ଆକାରରେ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଉଛି।
ଆଗାମୀ ଦିନରେ ବରଗଡ଼ରେ ଉତ୍ପାଦନ ହେଉଥିବା ଚାଉଳ ସାମଗ୍ରୀର ବଜାର ବ୍ୟବସ୍ଥାକୁ ବଢାଇବା। ପୂର୍ବୋଦୟ କଳ୍ପନାରେ ପ୍ରତିଷ୍ଠା ହେଉଥିବା ୨ଜି ଜୈବ ଇଥାନଲ ପ୍ଲାଣ୍ଟ ଦେଶର ଇଥାନଲ ଆବଶ୍ୟକତାକୁ ପୂରଣ କରିବ। ଏହା ମାଧ୍ୟମରେ କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବା ସହ ହସ୍ତତନ୍ତ ଓ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତି ବଢାଇବା ପାଇଁ ସମସ୍ତେ ସହଯୋଗର ଦାୟିତ୍ୱ ନେବା। ବୀର ସୁରେନ୍ଦ୍ର ସାଏଙ୍କ କର୍ମସ୍ଥାନ ଦେବ୍ରୀଗଡକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।
ଏହି ଅବସରରେ ବରଗଡ଼ ଜିଲ୍ଲାର ସଫଳ କୃଷକ, ସଫଳ ସୁଭଦ୍ରା, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବା ସହ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରଗଡ଼ ସାଂସଦ ଓ ବରଗଡ଼ ଜିଲ୍ଲାର ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ।