ଆନ୍ଦୋଳନ ପଡ଼ିଲା ମହଙ୍ଗା । ବନ୍ଦ ହେବ ଡାକ୍ତରଙ୍କ ଦରମା! । ଓଡ଼ିଶାରେ ଚାଲିଥିବା ଡାକ୍ତରୀ ସେବା ବର୍ଜନ ଆନ୍ଦୋଳନ ଉପରେ ଏବେ ରାଜ୍ୟ ସରକାର ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ସେବା ବ୍ୟାହତ ହେଉଥିବା ଦେଖି ସରକାର ଏକ ବଡ଼ ପ୍ରଶାସନିକ ନିଷ୍ପତ୍ତି କ୍ରମେ ଆନ୍ଦୋଳନରତ ଓଏମ୍ ଏଚ୍ ଏସ୍ କ୍ୟାଡର ଡାକ୍ତରମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆନ୍ଦୋଳନରେ ସାମିଲ ଥିବା ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ଚାକିରିରୁ ବାହାର କରିଦେବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଓଏମ୍ ଏସ୍ଏ ସଦସ୍ୟ ଏବଂ କିଛି ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଏହି କାର୍ଯ୍ୟବର୍ଜନ ଯୋଗୁଁ ସାଧାରଣ ଜନତା ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟରେ ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂରକ୍ଷଣ ଆଇନ, ୧୯୮୮ ବଳବତ୍ତର ଥିବା ସତ୍ତ୍ୱେ ଏଭଳି ଆନ୍ଦୋଳନ କରାଯିବାକୁ ସରକାର ଗ୍ରହଣ କରିନାହାନ୍ତି ।
ନିଜ କର୍ତ୍ତବ୍ୟରୁ ଦୂରେଇ ରହିବା ଓଏମ୍ ଏଚ୍ ଏସ୍ କ୍ୟାଡର ଅଫିସରମାନଙ୍କର ଚରମ ମିସକଣ୍ଡକ୍ଟ ବା ଅସଦାଚରଣ ଏବଂ ଏହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯ର ସ୍ପଷ୍ଟ ଉଲ୍ଲଂଘନ ଅଟେ । ଯେଉଁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି, ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସେମାନଙ୍କ ଦରମା ବନ୍ଦ ରହିବ। ଆନ୍ଦୋଳନରେ ସାମିଲ ଥିବା ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ପ୍ରଥମେ ନୋଟିସ ଦିଆଯିବ ଏବଂ ତା’ପରେ ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବ ।
ଏହି ସରକାରୀ ନିର୍ଦ୍ଦେଶନାମାକୁ ଏନ୍ .ଏଚ୍ .ଏମ୍ , ଓ.ଏସ୍ .ଏମ୍ .ସି.ଏଲ୍ , ସମସ୍ତ ମେଡିକାଲ କଲେଜର ଡିନ୍, ସୁପରିଟେଣ୍ଡେଣ୍ଟ ଏବଂ ସମସ୍ତ CDM&PHO ମାନଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପଠାଇ ଦିଆଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ, ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସରକାର ଏଭଳି କଠୋର ଆଭିମୁଖ୍ୟ ଆପଣାଇଛନ୍ତି ।

