ରାଜ୍ୟର ପଛୁଆ ବର୍ଗଙ୍କ ପାଇଁ ଚିନ୍ତିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି OBC କମିଶନ ତୁରନ୍ତ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏବେ ପୁଣି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ରୀୟ OBC ତାଲିକାରୁ ବୋଦ୍ ପଡ଼ିଥିବା ୧୦୮ଟି SEBC ସମ୍ପ୍ରଦାୟକୁ ସାମିଲ ପାଇଁ ଅନୁରୋଧ କରିଛନ୍ତି। ରାଜ୍ୟ SEBC ତାଲିକାରେ ସ୍ବୀକୃତିପ୍ରାପ୍ତ ଏହି ସମ୍ପ୍ରଦାୟ, କେନ୍ଦ୍ରୀୟ ତାଲିକାରେ ନଥିବାରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲାଭ ପାଇପାରୁ ନାହାନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କୁ ଲେଖିଛନ୍ତି ଚିଠି। ଓଡ଼ିଶାର ବିଭିନ୍ନ ପଛୁଆ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା ଓ ସେମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଏହି ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର। ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ SEBC ତାଲିକାରେ ସ୍ୱୀକୃତିପ୍ରାପ୍ତ ୧୦୮ଟି ସମ୍ପ୍ରଦାୟକୁ କେନ୍ଦ୍ରୀୟ OBC ତାଲିକାରେ ସାମିଲ କରିବା ପାଇଁ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡାକ୍ତର ବୀରେନ୍ଦ୍ର କୁମାରଙ୍କୁ ଅନୁରୋଧ କରିଛନ୍ତି।
ଗତକାଲି ଏ ସଂକ୍ରାନ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମଧ୍ୟ ଅନୁରୋଧ କରିଥିଲେ। ବିଭାଗୀୟ ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ପଛୁଆ ବର୍ଗଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ, ବିଜେପି ସରକାର ସେମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ କାମ କରୁଛନ୍ତି।
ରାଜ୍ୟ SEBC ତାଲିକାରେ ସ୍ବୀକୃତିପ୍ରାପ୍ତ ୧୦୮ଟି ସଂପ୍ରଦାୟ କେନ୍ଦ୍ରୀୟ OBC ତାଲିକାରେ ସ୍ଥାନ ପାଇ ନାହାନ୍ତି । ଏଥିରେ ଖଣ୍ଡାୟତ, ପ୍ରଧାନ, ଚଷା ପାଇକ, ମହାନ୍ତି, ଗଉଡ଼, ବଣିଆ, ଏବଂ ତେଲି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ । ଫଳରେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷାନୁଷ୍ଠାନରେ ନାମଲେଖା ଓ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁବିଧା ପାଇବାରୁ ଏମାନେ ବଞ୍ଚିତ । କେନ୍ଦ୍ରୀୟ ତାଲିକାରେ ଏହି ସମ୍ପ୍ରଦାୟର ଜାତି/ଉପଜାତି/ବର୍ଗର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଗଲେ ସେମାନଙ୍କ ଆର୍ଥିକ ଓ ଶିକ୍ଷାଗତ ଅଭିବୃଦ୍ଧି ହେବ ।
ସବୁଠାରୁ ବଡ଼କଥା ହେଉଛି ରାଜ୍ୟର ପଛୁଆ ବର୍ଗଙ୍କୁ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

