ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ଚିଠି ଲେଖିଛନ୍ତି। ଶିକ୍ଷାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସୁରକ୍ଷିତ ରଖିବା ଏବଂ ଆମ ରାଜ୍ୟ ଯେପରି ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବ ସରକାରଙ୍କ ଏହି ପଦକ୍ଷେପ ଗୁଡ଼ିକ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତ୍ତାତାକୁ ସଙ୍କୁଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଥିଲା ଏବଂ ଓଡ଼ିଶାରେ ଶିକ୍ଷାବିତଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।
ଏହା ସହ ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତତ୍କାଳୀନ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯ରେ ବ୍ୟାପକ ପରିବର୍ତ୍ତନ ଆଣିଥିଲା। ଏହି ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ ସୃଷ୍ଟି କରୁନଥିଲା ବରଂ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାର୍ଥ, ସେମାନଙ୍କ ସ୍ୱାୟତ୍ତତାକୁ ମଧ୍ୟ କ୍ଷୁର୍ଣ୍ଣ କରୁଥିଲା। ବିଶେଷ କରି ଗମ୍ଭୀରଦାନ କେ ଗଡ଼ଭି ବନାମ ଗୁଜରାଟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୦୨୨ ମସିହା ମାର୍ଚ୍ଚ ୩ ତାରିଖରେ ଦେଇଥିବା ରାୟ ପରିପ୍ରେକ୍ଷୀରେ ଏହି ଅସଙ୍ଗତି ଗଭୀର ଚିନ୍ତାର ବିଷୟ। ଯେଉଁଥିରେ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନ ଉପରେ ୟୁଜିସିର ସର୍ବୋଚ୍ଚ ନିୟମାବଳୀକୁ ସ୍ପଷ୍ଟ ଭାବେ ବଜାୟ ରଖାଯାଇଛି।