ସଂଚାର ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରରେ ଉତ୍ସାହ ଉଦ୍ଦୀପନା । ବର୍ଷକେ ଥରେ ଭାଇ ବନ୍ଧୁ, ପରିଜନ ସମ୍ପର୍କୀୟ ସମସ୍ତଙ୍କ ମିଳନର ନିଆରା ପରମ୍ପରା । ଏଥିପାଇଁ ତ ଯିଏ ଯେତେ ଦୂରରେ ଥିଲେ ବି ଘର ମୁହାଁ ହୁଅନ୍ତି ।
ଗଣପର୍ବ ‘ନୂଆଁଖାଇ-୨୦୨୫’ର ଶୁଭେଚ୍ଛା ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷର ଉନ୍ନତି, ଖାଦ୍ୟ ସୁରକ୍ଷା ଏବଂ ଗୁରୁଜନଙ୍କୁ ସମ୍ମାନ ଦେବାର ବିଶେଷ ପର୍ବ ‘ନୂଆଁଖାଇ’ ବୋଲି ନିଜ ବାର୍ତ୍ତାରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଜି ନୂଆଁଖାଇ ଉପଲକ୍ଷେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ସମ୍ବଲପୁର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କରେ ନୂଆଁଖାଇ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସେଠାରେ ପ୍ରସାଦ ସେବନ କରିବେ । ପରବର୍ତ୍ତୀ ସମୟରେ ସମ୍ବଲପୁରରେ ଓଡ଼ିଶା ସାଂସ୍କୃତିକ ସମାଜ, ନନ୍ଦପଡାରେ ଚିତ୍ରୋଟ୍ଟପାଲା ଯୁବକ ସଂଘ ଏବଂ ମା’ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ପୃଥକ ପୃଥକ ନୂଆଁଖାଇ ଭେଟଘାଟ -୨୦୨୫ରେ ଯୋଗଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
ସେପଟେ ସମ୍ବଲପୁରରେ ସକାଳ ୯ଟା ୩୩ରୁ ୯ଟା ୫୫ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି । ନିର୍ଦ୍ଧାରିତ ଲଗ୍ନ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୀଠରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି କରାଯିବ । ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଓ ପାଟଣେଶ୍ବରୀ, ସୋନପୁରର ସୁରେଶ୍ବରୀଙ୍କ ପୀଠରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ପରେ ନୂଆ ଖାଇବେ ଜିଲ୍ଲାବାସୀ ।