ସଂଚାର ବ୍ୟୁରୋ: ଉତ୍ତମ ମହାନ୍ତିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଉତ୍ତମଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ପାଖରୁ ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନଙ୍କ ସହ କଥା ହୋଇଛନ୍ତି ଧର୍ମେନ୍ଦ୍ର । ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଉତ୍ତମ ମହାନ୍ତିଙ୍କୁ ଶନିବାର ଭୁବନେଶ୍ବରରୁ ଏୟାରଲିଫ୍ଟ କରାଯାଇ ଦିଲ୍ଲୀ ନିଆଯାଇଛି । ତା ପୂର୍ବରୁ ସେ ଭୁବନେଶ୍ବ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଓଲିଉଡ୍ ଓ ଶୁଭେଛୁମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଅନ୍ୟପଟେ ଉତ୍ତମ ମହାନ୍ତି ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଏଭଳି କାମନା କରିଛନ୍ତି ମୟୂରଭଞ୍ଜରେ ଥିବା ତାଙ୍କ ବନ୍ଧୁ, ବାନ୍ଧବ ଓ ସ୍ଥାନୀୟ ବାସିନ୍ଦା । ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରି ବାରିପଦା ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକା ମନ୍ଦିରରେ ସମୂହ ଦୀପ ଦାନ କରିଛନ୍ତି । ସେହିପରି ଶୀଘ୍ର ସୁସ୍ଥ ହୋଇ ପୁଣି ଫେରି ଆସନ୍ତୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଉତ୍ତମ ମହାନ୍ତି ଦର୍ଶକଙ୍କୁ ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି । ବଳିଷ୍ଠ ଅଭିନୟ ପାଇଁ ସେ ବହୁ ପୁରସ୍କାର ଲାଭ କରିଛନ୍ତି । ଏକମାତ୍ର ଓଡ଼ିଆ ଅଭିନେତା ଭାବେ ଲଗାତର ୩ବର୍ଷ ଧରି ୧୯୮୨,୧୯୮୩ ଓ ୧୯୮୪ରେ ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ୧୯୯୯ରେ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଉତ୍ତମ ।