ସଂଚାର ବ୍ୟୁରୋ: ଭୁବନେଶ୍ଵରରେ ଚାଲିଥିବା ଡିିଜିପି ସମ୍ମିଳନୀର ଆଜି ହେଉଛି ଦ୍ଵିତୀୟ ଦିନ। ଆଜିର ବୈଠକରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ। ଲୋକସେବା ଭବନରେ ଚାଲିଥିବା ଏହି ସମ୍ମିଳନୀର ପ୍ରଥମ ଦିନରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାର ବିମର୍ଷ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ମିଳନୀକୁ ଉଦଘାଟନ କରିଥିବା ବେଳେ ଏଥିରେ ଯୋଗ ଦେଇଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, ଗୁଇନ୍ଦା ସଂସ୍ଥାର ମୁଖ୍ୟ।
ସବୁ ରାଜ୍ୟର ଡିଜି ଓ ଆଇଜି ମଧ୍ୟ ଯୋଗ ଦେଇଥିଲେ। ୩ ଦିନ ଧରି ଚାଲିବ ଡିଜିପି ସମ୍ମିଳନୀ । ସାଇବର ଥ୍ରେଟ ଠାରୁ ଆରମ୍ଭ କରି ମାଓ ଦମନ ରଣନୀତି ନେଇ ସବୁ ରାଜ୍ୟର ପୋଲିସ ମୁଖ୍ୟଙ୍କ ସହ ଅମିତ ଶାହ ଆଲୋଚନା କରିଥିବା ଜଣାପଡ଼ିଛି। ଆଭ୍ୟନ୍ତରୀଣ ସୁରକ୍ଷା ସହ ଅନ୍ତର୍ଘାତୀ ଆକ୍ରମଣକୁ ପ୍ରତିହତ କରିବାକୁ ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ଓ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ ନେଇ ମାନସମନ୍ଥନ କରାଯାଇଛି ।