ସଂଚାର ବ୍ୟୁରୋ: ଅଫିସରୁ ହଟିଲେ ଡେରାବିଶ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ସିଡିପିଓ ସ୍ନେହଲତା ସାହୁଙ୍କୁ ଅପସାରଣ କରାଯାଇଛି। ସିଡିପିଓଙ୍କ ଅବହେଳା ପାଇଁ ଜଣେ କାର୍ଯ୍ଯରତ ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ଗର୍ଭ ନଷ୍ଟ ଅଭିଯୋଗ ଘଟଣାରେ ଏହି ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ। ଘଟଣାର ନିରପେକ୍ଷ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଡେରାବିଶ ସିଡିପିଓଙ୍କ ଅଫିସରେ ଡେରାବିଶ ତହସିଲଦାର, ମେଡିକାଲ ଅଫିସର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ଯପଟେ ସିଡିପିଓଙ୍କ ବିରୋଧରେ ମାନବ ଅଧିକାର କର୍ମୀ ଜୟନ୍ତ ଦାସ ଜାତୀୟ ମାନବ ଅଧିକାର କମିଶନରେ ଅଭିଯୋଗ କରି ମାମଲା ରୁଜୁ କରିଛନ୍ତି । ପୀଡିତାଙ୍କୁ ଦଶ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବା ପାଇଁ ଦାବି କରିଛନ୍ତି ଜୟନ୍ତ । ଏସବୁ ସତ୍ତ୍ବେ ବର୍ଷାଙ୍କ ପରିବାର ସିଡିପିଓଙ୍କ ବଦଳି ଦାବି ବିଫଳ ହୋଇଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।